ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦୁଇ ଦ୍ରୁତ ବୋଲର ଆକାଶ ଦୀପ ଏବଂ ମୁକେଶ କୁମାର ଏବେ ମୈଦାନ ବାହାରେ ପୋଲିସ ବର୍ଦ୍ଦିରେ ନଜର ଆସିବେ। ପିଚରେ ନିଜର ଗତିରେ ବିପକ୍ଷ ବ୍ୟାଟରଙ୍କ ଓ୍ଵିକେଟ୍ ଉଡ଼ାଉଥିବା ଏହି ଦୁଇ ବୋଲରଙ୍କୁ ଖାକି ବର୍ଦ୍ଦିରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି।
ସାଧାରଣତଃ ଡିଏସପି (DSP) ହେବା ପାଇଁ କଠିନ BPSC ପରୀକ୍ଷା ଦେବାକୁ ପଡ଼ିଥାଏ। ମାତ୍ର ଏସିଆନ୍ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାରୁ, ବିହାର ସରକାର ସେମାନଙ୍କୁ ସ୍ପୋର୍ଟସ କୋଟାରେ ବିନା ପରୀକ୍ଷାରେ ଏହି ଗଜେଟେଡ୍ ପଦବୀ ପ୍ରଦାନ କରିଛନ୍ତି।
କେତେ ମିଳିବ ମାସିକ ଦରମା?
ଡିଏସପି ପଦବୀ ପାଇଁ ସରକାରଙ୍କ ପେ-ଲେଭଲ-୯ ଅନୁସାରେ ଦରମା ମିଳିବ। ଉଭୟ ଖେଳାଳିଙ୍କ ମୂଳ ଦରମା (Basic Salary) ମାସିକ ପ୍ରାୟ ୫୩,୧୦୦ ଟଙ୍କା ରହିବ। ଏହାସହ ମହଙ୍ଗା ଭତ୍ତା (DA) ଏବଂ ଘର ଭଡ଼ା (HRA) ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ଦରମା ମାସିକ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ।
ମିଳିବ ଏହିସବୁ ସରକାରୀ ସୁବିଧା
ଦରମା ବ୍ୟତୀତ ଉଭୟ ଖେଳାଳିଙ୍କୁ ସରକାରୀ ଆବାସ, ସରକାରୀ ଗାଡ଼ି, ଡ୍ରାଇଭର, ଅଙ୍ଗରକ୍ଷୀ ଏବଂ ମେଡିକାଲ ସୁବିଧା ମିଳିବ। ଏହାସହିତ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ପେନ୍ସନ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।
ସରକାରଙ୍କ ୫ ବର୍ଷିଆ ସର୍ତ୍ତ
ତେବେ ଏହି ଚାକିରି ସହ ଗୃହ ବିଭାଗ ଏକ ବଡ଼ ସର୍ତ୍ତ ରଖିଛି। ଉଭୟ ଖେଳାଳିଙ୍କୁ ୫ ବର୍ଷର ଏକ ବଣ୍ଡ୍ ସ୍ୱାକ୍ଷର କରିବାକୁ ପଡ଼ିବ, ଯେଉଁଥିରେ ସେମାନଙ୍କୁ ଆଗାମୀ ୫ ବର୍ଷ ଯାଏଁ ସକ୍ରିୟ କ୍ରିକେଟର ଭାବେ ଖେଳ ଜାରି ରଖିବାକୁ ହେବ। ଏହି ନିୟମ ଭଙ୍ଗ କଲେ ଚାକିରି ସ୍ଥାୟୀ ହେବାରେ ସମସ୍ୟା ହୋଇପାରେ।