ଭୁବନେଶ୍ୱର:ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଖାରବେଳ ଭବନସ୍ଥିତ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ବନ୍ୟା ପ୍ରଭାବିତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO)ମାନେ ଅଂଶଗ୍ରହଣ କରିଥିଲେ।
ବନ୍ୟାଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦୁର୍ଗମ ଅଞ୍ଚଳରେ ତ୍ୱରିତ ପ୍ରତିକ୍ରିୟା ଟିମ୍ (RRT) ଏବଂ ମୋବାଇଲ୍ ହେଲ୍ଥ ୟୁନିଟ୍ ଜରିଆରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ କୁହାଯାଇଛି। ବିଶେଷକରି ଡାଇରିଆ, ହଇଜା, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ଜଳବାହିତ ଏବଂ ଭେକ୍ଟରଜନିତ ରୋଗ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ରିଲିଫ୍ କ୍ୟାମ୍ପରେ ରହୁଥିବା ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଥିବା କାର୍ଯ୍ୟର ତଥ୍ୟ ଅନୁଯାୟୀ, କେବଳ ଆଜିର ଦିନରେ ୩୬୭ ଜଣଙ୍କୁ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ମିଳିଥିବାବੇଳେ ଏପର୍ଯ୍ୟନ୍ତ ସମୁଦାୟ ୯,୦୨୫ ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।
ସେହିପରି ଆଜି ୧୨ଟି ସାପ କାମୁଡ଼ା ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ ୫୮ ଜଣଙ୍କୁ ଏନେଇ ଚିକିତ୍ସିତ କରାଯାଇଛି ଏବଂ ଡାଇରିଆ ଜନିତ ରୋଗରେ ବର୍ତ୍ତମାନ ୧୧୪ ଜଣ ଚିକିତ୍ସାଧୀନ ଅଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ଵତୀ ଏସ.ଙ୍କ ସମେତ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସପାଲମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।