ଭୁବନେଶ୍ୱର: ରାଜ୍ୟରେ ଚାଉଳ ଅଭାବକୁ ନେଇ ସୃଷ୍ଟି ହେଉଥିବା ଆଶଙ୍କା ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର କୌଣସି ଜିଲ୍ଲାରେ ଚାଉଳର ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ରହିଛି ଏବଂ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ସୁଚାରୁ ଭାବେ ଚାଲିଛି।
ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ୧୦ କିଲୋଗ୍ରାମ ଚାଉଳ ନିୟମିତ ଭାବେ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ କୌଣସି ପରିବାର ଖାଦ୍ୟଶସ୍ୟ ଅଭାବର ସମ୍ମୁଖୀନ ହେବେ ନାହିଁ ବୋଲି ସରକାର ସୁନିଶ୍ଚିତ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଖାଦ୍ୟଶସ୍ୟର ମହଜୁଦ ଓ ବଣ୍ଟନ ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ପ୍ରତ୍ୟେକ ଜିଲ୍ଲାକୁ ଆବଶ୍ୟକ ଅନୁଯାୟୀ ଚାଉଳ ଯୋଗାଣ କରାଯାଉଛି, ଯାହାଦ୍ୱାରା ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।
ବନ୍ୟା ପରିସ୍ଥିତିକୁ ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆବଶ୍ୟକ ରିଲିଫ୍ ସାମଗ୍ରୀ ପଠାଯାଇଛି। ବିଶେଷକରି ଚୁଡ଼ା, ବିସ୍କୁଟ ଏବଂ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି। ବନ୍ୟା ଅଞ୍ଚଳରେ ଖାଦ୍ୟ ସାମଗ୍ରୀର କୌଣସି ଅଭାବ ନଥିବା ବେଳେ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଯୋଗାଣ ଜାରି ରହିଛି।
ସେ ଆହୁରି କହିଛନ୍ତି, ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ରିଲିଫ୍ ଯୋଗାଣ ଜାରି ରହିବ। ରାଜ୍ୟ ସରକାରଙ୍କ ପ୍ରାଥମିକତା ହେଉଛି ପ୍ରତ୍ୟେକ ହିତାଧିକାରୀ ଓ ବନ୍ୟା ପ୍ରଭାବିତ ପରିବାରଙ୍କ ନିକଟରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ପହଞ୍ଚାଇବା। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।