ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ର ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ନିଜେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ପଡ଼ିବା ନେଇ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ । ପୁଣି ଥରେ ସର୍ଭେ କରି ଘର ଯୋଗାଇ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସଂମ୍ପୃକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡିଥିବା ଦେଖି ଘଟଣାସ୍ଥଳରେ ହିଁ ଅଧିକାରୀମାନଙ୍କ ଉପରେ ଭୀଷଣ ବର୍ଷିଥିଲେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି ସୀମା ନାହିଁ । ଯେତେ ହିତାଧିକାରୀ ହେଲେ ମଧ୍ୟ ଘର ପାଇପାରିବେ । ତେଣୁ, ପଇସା ନେଇ କାହିଁକି ରାଜନୀତି କରୁଛ ଓ ମଜାକ୍ ଚାଲିଛି ବୋଲି କହି ବିଡିଓ ଓ ପିଇଓଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ । କେଉଁଠାକୁ ବଦଳି ହେବାକୁ ଚାହୁଁଚ ବୋଲି ମନ୍ତ୍ରୀ ସିଧାସଳଖ ପଚାରିଥିଲେ ।
କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ଯେ ସର୍ଭେ ସମୟରେ କିଛି ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କଟିଯାଇଛି । ପୁଣି ଥରେ ସର୍ଭେ କରି ଘର ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ପ୍ରତିକ୍ରିୟା ରଖିଛନ୍ତି ।
କେବଳ ସଦର ବ୍ଲକରେ ନୁହେଁ କାମାକ୍ଷାନଗର ବ୍ଲକରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । କାମାକ୍ଷାନଗର ବ୍ଲକର ୨୨ଟି ପଞ୍ଚାୟତ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଲୋକେ କହିଥିଲେ । ପୁନଃ ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।