କଳାହାଣ୍ଡି: ବିଶ୍ୱନାଥପୁର ରେଞ୍ଜ ଅଧୀନସ୍ଥ ପିଡେଲଜୁବା ଗାଁରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ପଲଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ପିଲାଇ ହରିଜନ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।
ଗତ କାଲି ବିଳମ୍ବିତ ରାତିରେ ପିଡେଲଜୁବା ଗାଁରେ ଏକ ହାତୀପଲ ପଶି ଆସିଥିଲେ । ହାତୀ ପଲ ପିଲାଇ ହରିଜନଙ୍କ ଘର ଭାଙ୍ଗିବା ପରେ ତାଙ୍କୁ ଆକ୍ରମଣ କରିଥିଲେ । ରାତିରେ ହାତୀ ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । କିନ୍ତୁ ପିଲାଇ ବର୍ତ୍ତି ପାରିନଥିଲେ । ଶେଷରେ ହାତୀମାନେ ତାଙ୍କ ଦଳିମକଚି ଦେଇଥିଲେ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ବୃଦ୍ଧାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇଛନ୍ତି ।
ଖବର ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ବିଶ୍ୱନାଥପୁର ରେଞ୍ଜର କିମ୍ବା ପୋଲିସ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅବହେଳା ଅଭିଯୋଗରେ ଗ୍ରାମବାସୀ ତାତିଛନ୍ତି । ଉତ୍ତ୍ୟକ୍ତ ଗ୍ରାମବାସୀ ମୁଷାନାଳ-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି।