ମୟୂରଭଞ୍ଜ: ବେତନଟୀ ଲାମ୍ପସର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି । ପ୍ରାୟ ୪୦.୯୪ ଲକ୍ଷ ଟଙ୍କାର ସମବାୟ ପାଣ୍ଠି ହେରଫେର୍ ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ପରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି ।
୨୦୧୭-୧୮ ଆର୍ଥିକ ବର୍ଷରେ ବେତନଟୀ ଲାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ସମୟରେ ଅଭିଯୁକ୍ତ ହିମାଂଶୁ ଦାସ ସ୍ଥାନୀୟ ଚାଷୀମାନଙ୍କ ଠାରୁ କୃଷି ଓ ଫସଲ ଋଣ ପରିଶୋଧ, ସଭ୍ୟ ଶେୟାର କ୍ୟାପିଟାଲ୍ ଅଂଶଦାନ ଓ ଆବେଦନ ଫର୍ମ ଫି’ ଏବଂ ପ୍ରଶାସନିକ ଶୁଳ୍କ ବାବଦକୁ ବହୁ ପରିମାଣର ଅର୍ଥ ଆଦାୟ କରିଥିଲେ । ଅର୍ଥ ଗ୍ରହଣ କରିବା ପରେ ସେ ଚାଷୀମାନଙ୍କୁ ସରକାରୀ ରସିଦ୍ ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ସେହି ଆଦାୟ ଅର୍ଥକୁ ସମବାୟ ସମିତିର ଅଫିସିଆଲ୍ ଆକାଉଣ୍ଟରେ ଜମା ନକରି କିମ୍ବା ଅଫିସିଆଲ୍ ଡେ' ବୁକ୍ ରେ ନଲେଖି, ସମ୍ପୂର୍ଣ୍ଣ ୪୦ଲକ୍ଷ ୯୪ ହଜାର ୩୦୬ ଟଙ୍କା ନିଜ ଆତ୍ମସାତ୍ କରିଥିଲେ । ଏନେଇ ବିଭାଗ ପକ୍ଷରୁ ଅଭିଯୁକ୍ତ ହିମାଂଶୁ ଦାସଙ୍କୁ ପୂର୍ବରୁ ୪ ଏପ୍ରିଲ ୨୦୨୨ ରୁ ଚାକିରିରୁ ବରଖାସ୍ତ କରାଯାଇସାରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।