ଭୁବନେଶ୍ୱର: ଚାଉଳ ବୋଝେଇ ଟ୍ରକ୍ରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ। ହେଲେ ଏହି ଚାଲାକି ବେଶୀ ସମୟ କାମ ଦେଲା ନାହିଁ। ଏସଟିଏଫ୍ ଜାଲରେ ଧରାପଡ଼ିଲା ଗଞ୍ଜେଇ ବୋଝେଇ ଟ୍ରକ୍। ଖୋର୍ଦ୍ଧା ପିତାପଲ୍ଲୀ ଅଞ୍ଚଳରୁ ପ୍ରାୟ ୪୯୭ କେଜି ଗଞ୍ଜେଇ ଜବତ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF)। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗଞ୍ଜେଇକୁ ଚାଉଳ ବସ୍ତା ତଳେ ଲୁଚାଇ ଟ୍ରକ୍ରେ ଚାଲାଣ କରାଯାଉଥିଲା। ଯାଞ୍ଚ ସମୟରେ ଗଞ୍ଜେଇର ଗନ୍ଧ ଯେପରି ଜଣାନପଡ଼ିବ ଏବଂ ଗାଡ଼ି ଉପରେ ସନ୍ଦେହ ନହେବ, ସେଥିପାଇଁ ଚାଉଳ ବସ୍ତା ତଳେ ଗଞ୍ଜେଇ ଲୁଚାଯାଇଥିବା STF ପକ୍ଷରୁ କୁହାଯାଇଛି।
ଗୁପ୍ତ ସୂଚନା ଆଧାରରେ STF ଟିମ୍ ପିତାପଲ୍ଲୀ ନିକଟରେ ଏକ ମାଲବାହୀ ଟ୍ରକ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଚାଉଳ ବସ୍ତା ତଳୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଏହା ସହ ଟ୍ରକ୍, ମୋବାଇଲ ଫୋନ୍ ଓ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାରେ ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲା ଚମନ ନଗରିଆ ଅଞ୍ଚଳର ରାଜୁକୁ ଗିରଫ କରାଯାଇଛି। ସେ ଜବତ ଟ୍ରକ୍ର ଡ୍ରାଇଭର ତଥା ମାଲିକ ବୋଲି ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଗଞ୍ଜେଇ ଗଜପତି ଜିଲ୍ଲାରୁ ସଂଗ୍ରହ କରାଯାଇ ବ୍ରହ୍ମପୁରରେ ଟ୍ରକ୍ରେ ଲୋଡ୍ ହୋଇଥିବା ଏବଂ ଏହାକୁ ଦିଲ୍ଲୀ ଚାଲାଣ କରାଯାଉଥିବା STF ଜାଣିବାକୁ ପାଇଛି। ଏବେ STF ଏହି ଚୋରାଚାଲାଣ ରାକେଟ୍ର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ତଦନ୍ତ ଜୋରଦାର କରିଛି। ଗଞ୍ଜେଇ ଯୋଗାଣକାରୀ, ଟ୍ରାନ୍ସପୋର୍ଟର, ଫାଇନାନ୍ସର ଏବଂ ଏହି ସିଣ୍ଡିକେଟ୍ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚାଲିଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଓ ଉତ୍ତରପ୍ରଦେଶ ଯାଇ ତଦନ୍ତ କରିବ ବୋଲି STF ପକ୍ଷରୁ ସୂଚନା ମିଳିଛି।
ଏନେଇ NDPS ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ରାଜୁକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ। ପୂରା ଡ୍ରଗ୍ସ ସିଣ୍ଡିକେଟ୍କୁ ଧରିବା ସହ ଅବୈଧ ଚାଲାଣ ଶୃଙ୍ଖଳକୁ ମୂଳରୁ ଭାଙ୍ଗିବା ଦିଗରେ STF ତଦନ୍ତ ଜାରି ରଖିଛି।