ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେଉଥିବା ବେଳେ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଆସନ୍ତାକାଲି ଏରିଆଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ।
ଏହି ଏରିଆଲ ସର୍ଭେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହିବେ।
ଆକାଶମାର୍ଗରୁ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ। ଏଥିସହ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ବନ୍ୟା ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ଏହି ସର୍ଭେ ଗୁରୁତ୍ୱପୂର୍ଣ୍ଣ ହେବ।