କେନ୍ଦ୍ରାପଡ଼ା: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ମାସର ବନ୍ଦ ପରେ ଆସନ୍ତାକାଲି, ଅଗଷ୍ଟ ୧ରୁ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଏହା ସହ ପୁଣିଥରେ ଜୀବନ୍ତ ହୋଇଉଠିବ ଭିତରକନିକାର ମ୍ୟାଙ୍ଗ୍ରୋଭ ଜଙ୍ଗଲ, ନଦୀ-ନାଳ ଓ ବନ୍ୟଜନ୍ତୁଙ୍କ ମନୋରମ ପରିବେଶ।
ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଏ। ପ୍ରଜନନ ସମୟରେ ମା’ କୁମ୍ଭୀର ଅଧିକ ଆକ୍ରମଣାତ୍ମକ ହୋଇପାରୁଥିବାରୁ କୁମ୍ଭୀର ଓ ପର୍ଯ୍ୟଟକ ଉଭୟଙ୍କ ସୁରକ୍ଷା ପାଇଁ ଏହି କଟକଣା ଜାରି କରାଯାଇଥାଏ।
ଚଳିତବର୍ଷ ଭିତରକନିକାରେ ମୋଟ ୧୧୭ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। କନିକା ରେଞ୍ଜର ବିଭିନ୍ନ ଅଞ୍ଚଳରେ ୧୦୬ଟି, ରାଜନଗର ରେଞ୍ଜରେ ୧୦ଟି ଏବଂ ମହାକାଳପଡ଼ା ରେଞ୍ଜରେ ଗୋଟିଏ ବସା ଚିହ୍ନଟ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ମା’ କୁମ୍ଭୀର ସାଧାରଣତଃ ନଦୀ କିମ୍ବା ନାଳଠାରୁ ଉଚ୍ଚ ସ୍ଥାନରେ ଶୁଖିଲା ପତ୍ର, କାଠିକୁଟା ଆଦିରେ ବସା ତିଆରି କରିଥାଏ। ଗୋଟିଏ କୁମ୍ଭୀର ପ୍ରାୟ ୪୦ରୁ ୬୦ଟି ଅଣ୍ଡା ଦେଇଥାଏ ଏବଂ ପ୍ରାୟ ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ।
ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ନୌକା ଚାଳକ, ଗାଇଡ୍ ଓ ରିସର୍ଟଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏବେ ପୁଣି ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ ଭିତରକନିକା।