ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢ଼ୁଥିବା ଜଳସ୍ତର ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି। ଉପରମୁଣ୍ଡରୁ ଲଗାତାର ଅଧିକ ପରିମାଣର ପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଡ୍ୟାମ୍ର ଗେଟ୍ ଖୋଲାଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ହୀରାକୁଦରୁ ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଉଛି। ଏପଟେ ଖଇରମାଳରେ ଜଳପ୍ରବାହ ପ୍ରାୟ ୫ ଲକ୍ଷ ୨୭ ହଜାର କ୍ୟୁସେକ ରହିଛି।
ହୀରାକୁଦରୁ ନିଷ୍କାସିତ ପାଣି ଖଇରମାଳରେ ପହଞ୍ଚିବା ପରେ ଏଠାରେ ମୋଟ ଜଳପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଫଳରେ ମହାନଦୀ ଅବବାହିକାର ତଳିଆ ଅଞ୍ଚଳ ଉପରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।