ଭୁବନେଶ୍ୱର: ଲୋକ ସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ୟା ସମୀକ୍ଷା, ପାଣିପାଗ ପୂର୍ବାନୁମାନ, ରିଲିଫ୍ ବଣ୍ଟନ, ସ୍ୱାସ୍ଥ୍ୟ ସେବା ଓ ସହାୟତା ପ୍ରଦାନ ଆଦି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ହୀରକୁଦରେ ୧୨ଟି ଗେଟ୍ ଖୋଲା
ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା, ଋଷିକୂଲ୍ୟା ଓ ଜଳକା ବିପଦ ସଙ୍କେତ ତଳେ ରହିଥିବାବେଳେ ମହାନଦୀର ଜଳ ପତ୍ତନ ବୃଦ୍ଧି ପାଉଛି । ବର୍ତ୍ତମାନ ହୀରାକୁଦର ୧୨ଟି ଗେଟ୍ ଖୋଲା ରହିଥିବାବେଳେ ଆହୁରି ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ । ଏହା ପରେ ମୁଣ୍ଡଳୀଠାରେ ଆଠ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କୌଣସି ପରିସ୍ଥିତିରେ ଦଶ ଲକ୍ଷ ପାଣି ଆସିବାର ସମ୍ଭାବନା ନାହିଁ । ତଥାପି ସଜାଗ ରହିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହୀରାକୁଦରେ ଛଡ଼ା ଯାଉଥିବା ପାଣି ନରାଜ ପହଁଚିବାରୁ ଆହୁରି ୪୦ ଘଣ୍ଟା ସମୟ ନେବ । ଏହା ପରେ ନରାଜରେ ଜଳ ପତ୍ତନ ବୃଦ୍ଧି ପାଇବ । ଆବଶ୍ୟକ ପଡ଼ିଲେ ହୀରାକୁଦର ଆହୁରି ଗେଟ୍ ଖୋଲାଯାଇପାରେ । ଏହା ଉପରେ ଜଳ ସମ୍ପଦ ବିଭାଗ ନଜର ରଖିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିଛି । ଆଗାମୀ ୨୪ ଘଣ୍ଟା ଯାଏ ପାଗ ଶୁଖିଲା ରହିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଗାମୀ ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ । କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ ।
ସମ୍ପୂର୍ଣ୍ଣ ଜଳ ମୁକ୍ତ ହେବା ଯାଏ ମିଳିବ ରିଲିଫ୍
ସେପଟେ ବନ୍ୟା ପ୍ଲାବିତ ଅଞ୍ଚଳରେ ବନ୍ୟା ଆଶ୍ରୟ ସ୍ଥଳ କାର୍ଯ୍ୟକ୍ଷମ ରହିଛି । ସେଠାରେ ଚୁଡ଼ା, ବିସ୍କୁଟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁଠାରେ ଲୋକେ ଆସି ନାହାଁନ୍ତି, ପାଣି ଘେରରେ ରହିଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ତିନି ପରେ ବିଡ଼ିଓମାନେ ରିଲିଫ୍ କେନ୍ଦ୍ର ଚଳାଇବାର କ୍ଷମତା ନାହିଁ । କିନ୍ତୁ ଯେଉଁଠାରେ ସମ୍ପୂର୍ଣ୍ଣ ଜଳ ମୁକ୍ତ ହୋଇ ଚୂଲିରେ ରାନ୍ଧିବାକୁ ସକ୍ଷମ ହୋଇନାହାଁନ୍ତି ସେମାନଙ୍କୁ ରିଲିଫ୍ ଯୋଗାଣ ଜାରି ରହିବ ।
ସେହିପରି ରାଜସ୍ୱ ମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ଯେ ଖୁବ ଶୀଘ୍ର ସହାୟତା ଯୋଗାଇ ଦିଆଯିବ । ଚାଷୀ ଭାଇମାନେ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିବା ଚାଷୀଠାରୁ ଆରମ୍ଭ କରି ଧାନ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରଙ୍କ ନିୟମାବଳୀ ଅନୁସାରେ ସହାୟତା ଯୋଗାଇ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଖୁବ ସଜାଗ ରହିଛି । ଯେଉଁଠାରେ ପାଣି କମିଛି ସେଠାରେ ଟ୍ୟୁବୱେଲ୍ ମରାମତି କରାଯାଉଛି । ଜଳ ବିଶୋଧନ ପାଇଁ କ୍ଲୋରିନ୍ ବଟିକା ଓ ବ୍ଲିଚିଂ ପାଉଡର୍ ଯୋଗାଇ ଦିଆଯାଉଛି । ପାଣିକୁ ଫୁଟାଇ ପିଇବାକୁ ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଆଜିର ବୈଠକରେ ବନ୍ୟା ପ୍ଲାବିତ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ, କୃଷି, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ପାନୀୟ ଜଳ ଓ ପଶୁ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଏସଆରସି ମଧ୍ୟ ଉପସ୍ଥିତ ଥିଲେ ।