ଭୁବନେଶ୍ଵର: ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ନେଇ ଏବେ ଓଡ଼ିଶା ରାଜନୀତିରେ ଉତ୍ତାପ ବୃଦ୍ଧି ପାଇଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସ (X) ପୋଷ୍ଟ ମାଧ୍ୟମରେ ସରକାରଙ୍କ ବନ୍ୟା ମୁକାବିଲାକୁ ନେଇ ପ୍ରଶ୍ନ ଉଠାଇବା ପରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶାଣିତ ଜବାବ ଦେଇଛନ୍ତି।
'ଏକ୍ସ'ରେ ସରକାରଙ୍କୁ ଘେରିଲେ ନବୀନ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ ଓ ସମ୍ବଲପୁର ଆଦି ଜିଲ୍ଲାରେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବନ୍ୟାରେ ଜୀବନହାନି ଘଟିବା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ସଙ୍କଟ ସମୟରେ ଲୋକଙ୍କ ନିକଟରେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ଅଭିଯୋଗ ଆସୁଛି। ରାଜ୍ୟରେ ବିପର୍ଯ୍ୟୟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ, ଶୀର୍ଷ ନେତା ଓ ସାଂସଦମାନେ ଦିଲ୍ଲୀରେ ରହିବା ଦୁର୍ଭାଗ୍ୟଜନକ। 'ପ୍ରତିଟି ଜୀବନ ମୂଲ୍ୟବାନ' ଆଦର୍ଶରେ ଓଡ଼ିଶା ପୂର୍ବରୁ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା, କିନ୍ତୁ ବର୍ତ୍ତମାନର ସରକାର ସମ୍ବେଦନହୀନ ହୋଇପଡ଼ିଛନ୍ତି ବୋଲି ନବୀନ କହିଛନ୍ତି।
ନବୀନ ନିବାସରୁ ବାହାରି କ୍ଷେତ୍ର ପରିଦର୍ଶନ କରନ୍ତୁ: ସୁରେଶ ପୂଜାରୀ
ନବୀନଙ୍କ ଆକ୍ରମଣର ଦୃଢ଼ ଜବାବ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହ ମହାନଦୀ ଜଳ ଆଲୋଚନା ଏବଂ ରାଜ୍ୟ ସ୍ୱାର୍ଥ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଦିଲ୍ଲୀ ଗସ୍ତରେ ଅଛନ୍ତି ଓ ସେଠାରୁ ନିରନ୍ତର ବନ୍ୟା ସ୍ଥିତିର ନଜର ରଖିଛନ୍ତି। ବିଜେପି ସରକାରର ମନ୍ତ୍ରୀ ଓ ଅଧିକାରୀମାନେ ନିଜ ଜୀବନକୁ ବାଜି ଲଗାଇ ଡଙ୍ଗା ମାଧ୍ୟମରେ ବନ୍ୟାଞ୍ଚଳରେ ପହଞ୍ଚି ରିଲିଫ ଯୋଗାଉଛନ୍ତି।
୨୪ ବର୍ଷ ରାଜ୍ୟ ଶାସନ କରିଥିବା ନବୀନ ବାବୁ ନବୀନ ନିବାସର ଚାରିକାନ୍ଥ ଭିତରେ ବସି ବୟାନବାଜି ନକରି ସ୍ଥିତି ଅନୁଧ୍ୟାନ ପାଇଁ ସରଜମିନ କ୍ଷେତ୍ରକୁ ଆସନ୍ତୁ। ଏଭଳି ସମ୍ବେଦନଶୀଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜନୈତିକ ରୁଟି ନସେକି ବିରୋଧୀ ଦଳ ନେତାଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।