ଯାଜପୁର: ବନ୍ୟାର ଭୟାବହତା ମଧ୍ୟରେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀ ଉଗ୍ର ରୂପ ଧାରଣ କରିଛି। ଗୋଟିଏ ଦିନରେ ନଦୀବନ୍ଧରେ ୪ଟି ଘାଇ ସୃଷ୍ଟି ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ିଛି। ନୂଆକରି ଆରୁଆଳ ନିକଟରେ ପ୍ରାୟ ୧୦୦ ଫୁଟ୍ ଏବଂ ବାଲିପାଟଣା ନିକଟରେ ପ୍ରାୟ ୫୦ ଫୁଟ୍ର ଘାଇ ସୃଷ୍ଟି ହୋଇଥିବା ବେଳେ ସକାଳୁ ବରି ଚନ୍ଦନପୁରରେ ୩୦ ଫୁଟ୍ ଓ ବାଙ୍କସାହି ନିକଟରେ ୨୦ ଫୁଟ୍ର ଘାଇ ହୋଇଥିଲା।
ଘାଇ ସୃଷ୍ଟି ହେବା ପରେ ବ୍ରାହ୍ମଣୀର ପ୍ରଖର ସ୍ରୋତ ଚାଷଜମି ଓ ରାସ୍ତା ଦେଇ ଗାଁ ଭିତରକୁ ପଶିଯାଇଛି। ଫଳରେ ସିମୁଳିଆ ପଞ୍ଚାୟତର ବନ୍ତ, ମିର୍ଜାପୁର, ଚିଟ୍ଟାହାଟା ଓ ଗୁଲାଇପୁର ସମେତ ଏକାଧିକ ଗାଁ ଜଳମଗ୍ନ ହୋଇପଡ଼ିଛି। ଅନେକ ପରିବାର ଘରେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଘାଇ ସ୍ଥାନରେ ପ୍ରବଳ ବେଗରେ ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗି ପ୍ରବାହିତ ହେଉଥିବା ଦୃଶ୍ୟ ସ୍ଥିତିର ଭୟାବହତାକୁ ସ୍ପଷ୍ଟ କରୁଛି। ସ୍ଥାନୀୟ ଲୋକେ ଭୟ ଓ ଆତଙ୍କ ମଧ୍ୟରେ ଦିନ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଲଗାତାର ନଜର ରଖାଯାଉଛି।
ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ଆକଳନ କରୁଛନ୍ତି। ଲୋକଙ୍କୁ ଘାଇ ସ୍ଥାନ କିମ୍ବା ବନ୍ୟାଜଳ ପ୍ରବାହିତ ରାସ୍ତାକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବ୍ରାହ୍ମଣୀର ବଢ଼ୁଥିବା ଜଳସ୍ତରକୁ ଦେଖି ତଳିଆ ଅଞ୍ଚଳରେ ସତର୍କତା ଜାରି ରହିଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।