ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟୀ ସମ୍ବର୍ଦ୍ଧିତ କରିଛନ୍ତି । ବୁଧବାର ଲୋକ ଭବନରେ ଜ୍ୟୋତିର୍ମୟୀ ନାୟକ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଜ୍ୟୋତିର୍ମୟୀଙ୍କ ସଙ୍ଗୀତ ଯାତ୍ରା ପ୍ରତିଭା, ନିଷ୍ଠା ଏବଂ ଅଧ୍ୟବସାୟକୁ ରାଜ୍ୟପାଳ ଅନେକ ପ୍ରଶଂସା କରିଛନ୍ତି ।
ରାଜ୍ୟପାଳ କହିଛନ୍ତି ଯେ ଜ୍ୟୋତିର୍ମୟୀଙ୍କ ସଫଳତା ଓଡ଼ିଶାର ଗୌରବ ବଢ଼ାଇଛି ଏବଂ ଅନେକ ଯୁବପିଢ଼ିଙ୍କୁ ସ୍ୱପ୍ନ ପୂରଣ ପାଇଁ ଦୃଢ଼ ସଂକଳ୍ପ ସହିତ ଆଗେଇ ଯିବାର ପ୍ରେରଣା ପ୍ରଦାନ କରିଛି । ଜ୍ୟୋତିର୍ମୟୀଙ୍କ ଏହି ସଫଳତା ଓଡ଼ିଶାର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପ୍ରତିଫଳିତ କରୁଛି ଏବଂ ଜାତୀୟସ୍ତରରେ ରାଜ୍ୟର ପ୍ରତିଭାକୁ ପରିଚିତ କରାଇଛି I ଜ୍ୟୋତିର୍ମୟୀ ନିଜ ସଙ୍ଗୀତ ଯାତ୍ରାରେ ଆହୁରି ଉନ୍ନତି କରିବା ସହ ଅନେକ ଆକାଂକ୍ଷୀ କଳାକାରଙ୍କୁ ପ୍ରେରଣା ପ୍ରଦାନ କରିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଛନ୍ତି।
ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଜ୍ୟୋତିର୍ମୟୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସ୍ୱୀକୃତି ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାର ପ୍ରେରଣା ଦେଇଛି ଏବଂ ସେ ଅଧିକ ନିଷ୍ଠାର ସହିତ ନିଜର ସଙ୍ଗୀତ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି।
ରାଜ୍ୟପାଳ ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ସେ ସଙ୍ଗୀତ କ୍ଷେତ୍ରରେ ଆହୁରି ଅନେକ ସମ୍ମାନ ଆଣି ଓଡ଼ିଶାର ଗୌରବ ବର୍ଦ୍ଧନ କରିବେ। ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ ମଧ୍ୟ ଉପସ୍ଥିତ ଥିଲେ।