ଭୁବନେଶ୍ୱର: ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଉଲ୍ଲେଖନୀୟ ବର୍ଷାର ସମ୍ଭାବନା ନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ଅଗଷ୍ଟ ୨ ତାରିଖ ପରେ ପୁଣି ବର୍ଷା ହୋଇପାରେ ବୋଲି ସେ ସତର୍କ କରିଛନ୍ତି।
ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର (SRC), ରାଜସ୍ୱ ବିଭାଗ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇ ବନ୍ୟା ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଦେଇଥିଲେ।
ମନ୍ତ୍ରୀ କହିଛନ୍ତି ଯେ, ଉପରମୁଣ୍ଡରେ ବର୍ଷା କମିଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ତଳକୁ ଆସିଛି। ତେବେ ଯାଜପୁର ଜିଲ୍ଲାରେ ଦୁଇଟି ଘାଇ ହୋଇଥିବାରୁ ସେଠାରେ ନଜରଦାରି ବଢ଼ାଯାଇଛି।
ଅନ୍ୟପଟେ, ମହାନଦୀର ମୁଣ୍ଡଳୀ ଠାରେ ଜଳପ୍ରବାହ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମସ୍ତ ୧୦ଟି ଗେଟ୍ ଖୋଲା ରହିଥିବା ବେଳେ ପ୍ରତି ସେକେଣ୍ଡରେ ୮ ଲକ୍ଷ ୨୦ ହଜାରରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ପ୍ରାୟ ୯ ଲକ୍ଷ କ୍ୟୁସେକ୍ରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି।
ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା, ସରକାରୀ ପରାମର୍ଶ ମାନିବା ଏବଂ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି।