ରାୟଗଡ଼ା: ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର। ଫଳରେ ଦୀର୍ଘଘଣ୍ଟା ଧରି ଡ୍ରାଇଭର୍ ଓ ଜଣେ ନାବାଳକ ପାଣି ଭିତରେ ଫସିଯାଇଥିଲେ। ପାଣିର ସ୍ରୋତରେ ଦୁଇ ଜଣ ଫସିଯାଇଥିବା ବେଳେ ଜଣେ ଯୁବକ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଇମାଲିଗୁଡା ଅଞ୍ଚଳର ପ୍ରକାଶ ପେଦେଣ୍ଟି ଟ୍ରାକ୍ଟର ଯୋଗେ ନାଗବଳୀ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଇଥିଲେ। ହେଲେ ଫେରିବା ବେଳେ ନଦୀରେ ପ୍ରବଳ ସ୍ରୋତରେ ବର୍ଷା ଜଳ ମାଡି ଆସିଥିଲା। ପାଖରେ ତାଙ୍କ ସଂପର୍କୀୟ ନାବାଳକ ପୁତୁରା ହରି ପେଦେଣ୍ଟି ମଧ୍ୟ ରହିଥିଲେ। ତେବେ ନଦୀରେ ପାଣି ପ୍ରବଳ ବେଗରେ ଆସିବା ଯୋଗୁଁ ଦୁହେଁ ପାଣି ଭିତରେ ଟ୍ରାକ୍ଟର ଉପରେ ବସି ରହିଥିଲେ । ଦୀର୍ଘ ଘଣ୍ଟା ଧରି ନଦୀ ଗର୍ଭରେ ରହିଯାଇଥିଲେ । ପାଣିର ବେଗ ଦେଖି ଭିତରକୁ ଯିବାକୁ କେହି ସାହାସ କରିନଥିବା ବେଳେ ଇନ୍ତାଲିଗୁଡାର ଜଣେ ଯୁବକ ନଦୀ ଭିତରେ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ। ଦୁହେଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ।