ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଉତ୍ତର ଓ ପଶ୍ଚିମ ଅଞ୍ଚଳର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ରାଜ୍ୟବାସୀଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଉପରେ ସେ ନିଜେ ଓ ସମଗ୍ର ସରକାର ମିନିଟ୍କୁ ମିନିଟ୍ ନଜର ରଖିଛନ୍ତି ଏବଂ ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ (X)ରେ କରିଥିବା ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟାର ବର୍ତ୍ତମାନ ସ୍ଥିତି ଓ ଉଦ୍ଧାର-ରିଲିଫ୍ କାର୍ଯ୍ୟକୁ ନେଇ ସେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ପ୍ରତ୍ୟେକ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମଗ୍ର ପ୍ରଶାସନକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଲୋକଙ୍କୁ ଆଶ୍ୱାସନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “କେହି ଭୟଭୀତ କିମ୍ବା ବିଚଳିତ ହୁଅନ୍ତୁ ନାହିଁ। ସରକାର ଆପଣମାନଙ୍କ ସହ ପ୍ରତିଟି ପଦକ୍ଷେପରେ ଛିଡ଼ା ହୋଇ ରହିଛି। ପ୍ରଶାସନର ପରାମର୍ଶକୁ ମାନନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ରୁହନ୍ତୁ।”
ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି। ସେମାନେ ସମ୍ପୃକ୍ତ ଜିଲ୍ଲାରେ ରହି ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବେ।
ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି।
ରାଜ୍ୟରେ ଉଦ୍ଧାରକାରୀ ଦଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। NDRF, ODRAF, ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ପ୍ରଭାବିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।
ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପିଇବା ପାଣି, ରନ୍ଧା ଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସାପ କାମୁଡ଼ା ଚିକିତ୍ସା ପାଇଁ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ୍ ଏବଂ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସରକାର ସୂଚନା ଦେଇଛନ୍ତି।