ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି l ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରବଳ ବର୍ଷା ଓ ପବନ ଫଳରେ ପ୍ରାୟ ୧୫୦ ବର୍ଷର ଏକ ଓସ୍ତ ଗଛ ଉପଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଥିବା ବେଳେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସଞ୍ଜୀବ ଅମାତ ଓ ସ୍ତ୍ରୀ ସୁଜାତା ଅମାତ ଓ ତାଙ୍କର ଛୋଟ ଝିଅ ।
ଗତକାଲି ରାତିରେ ସଞ୍ଜୀବ ଅମାତଙ୍କ ପରିବାର ଶୋଇଥିବାବେଳେ ହଠାତ୍ ଗଛଟି ଉପୁଡ଼ି ଘର ଉପରେ ଭୁଶୁଡ଼ି ପଡ଼ିଥିଲା । ଆଜବେଷ୍ଟସ ଓ କାନ୍ଥ ପଡ଼ି ଯାଇଥିବାରୁ ଘରେ ବାସ କରୁଥିବା ୧୦ ଜଣ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ସଞ୍ଜୀବ ଅମାତ, ସୁଜାତା ଅମାତ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ l ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ସେହିପରି ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ଖବର ପାଇ ତୁରନ୍ତ ଟାଟା ପାୱାରର କର୍ମଚାରୀମାନେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିଛନ୍ତି ।
ତେଣେ ସରସରା ଗ୍ରାମ ପଞ୍ଚାୟତ ତରଫରୁ ପୀଡ଼ିତମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ଚାଉଳ ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ଧିରେନ ବିଶୋଇ ସୂଚନା ଦେଇଛନ୍ତି । ଜମିହୀନ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି l