ଭୁବନେଶ୍ୱର: ରାଜ୍ୟରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଏବଂ କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବୁଧବାର ରାଜ୍ୟର ଏକାଧିକ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ପାଣିପାଗ ବିଭାଗର ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ନଦୀଗୁଡ଼ିକର ଜଳସ୍ତର ଏବଂ ବନ୍ୟା ସ୍ଥିତିକୁ ଆଖି ଆଗରେ ରଖି ଭଦ୍ରକ, ଯାଜପୁର, ଦେବଗଡ଼, କେନ୍ଦୁଝର, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
କେଉଁ ଜିଲ୍ଲାରେ ଛୁଟି
ଭଦ୍ରକ: ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେଉଥିବାରୁ ଆସନ୍ତାକାଲି ବୁଧବାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ। ତେବେ ଜରୁରୀକାଳୀନ ବନ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ପ୍ରଶାସନ ଗ୍ରହଣ କରିଥିବା ପଦକ୍ଷେପରେ ସହଯୋଗ କରିବା ସହ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର: ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ ଗାଁଗଣ୍ଡାରେ ପଶୁଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି।
କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ପ୍ରଥମରୁ ଦ୍ୱାଦଶ (୧୨ଶ) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ଦେବଗଡ଼: ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଦେବଗଡ଼ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ ଏବଂ ଯୁକ୍ତ ଦୁଇ (+2) କଲେଜଗୁଡ଼ିକୁ ବୁଧବାର ଦିନ ବନ୍ଦ ରଖିବାକୁ ବିଜ୍ଞପ୍ତି ଜାରି କରିଛନ୍ତି।
ସମ୍ବଲପୁର ଓ ବରଗଡ଼: ପଶ୍ଚିମ ଓଡ଼ିଶାର ଏହି ଦୁଇ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାଜନିତ ସମସ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟର ଅନେକ ସ୍ଥାନରେ ତଳିଆ ଅଞ୍ଚଳ ଓ ସ୍କୁଲ ପରିସରରେ ପାଣି ଜମି ରହିଥିବାରୁ ପିଲାମାନଙ୍କ ଆସିବା ଯିବାରେ ସମସ୍ୟା ସୃଷ୍ଟି ହୋଇପାରେ। ସେଥିପାଇଁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ଛୁଟି ଘୋଷଣା କରିଛି। ଜନସାଧାରଣଙ୍କୁ ନଦୀ ଓ ନାଳ ନିକଟକୁ ନଯିବା ସହ ଜରୁରୀ ସାହାଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।