ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ଓଡ଼ିଶା ସରକାର ସତର୍କ ହୋଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବୁଧବାର ବନ୍ୟା ସ୍ଥିତି ସମୀକ୍ଷା ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ବନ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବର୍ତ୍ତମାନ ପରିସ୍ଥିତିକୁ ଦେଖି ସ୍କୁଲ ବନ୍ଦ କରିବା ନେଇ ନିଷ୍ପତ୍ତି ନେବାର କ୍ଷମତା ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି।
ସୁରେଶ ପୂଜାରୀ କହିଛନ୍ତି, ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ନରାଜରେ ଜଳ ନିଷ୍କାସନ ୯ ଲକ୍ଷ କ୍ୟୁସେକ୍ରୁ ଅଧିକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବା ପରେ ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବଲାଙ୍ଗିର, ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ମଧ୍ୟ ବର୍ଷା ହେଉଛି।
ବନ୍ୟା ଜନିତ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଅବସ୍ଥାରେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଏବଂ ବନ୍ୟା ପାଣିରେ ଭାସି ଯାଇ ଜଣେ ଶିଶୁଙ୍କ ପ୍ରାଣ ଯାଇଛି।
ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି, ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲା ରହିଛି ଏବଂ ଜଳସ୍ତର ୬୧୬ ଫୁଟ୍ରେ ପହଞ୍ଚିଛି। ଆସନ୍ତା ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ପହଞ୍ଚିପାରେ। ଫଳରେ ମହାନଦୀ ଓ ଦୟା ନଦୀର ତଳମୁଣ୍ଡ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି।
ପୁରୀ ଜିଲ୍ଲାର ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିପାରେ ବୋଲି ସତର୍କ କରାଯାଇଛି। ଅନ୍ୟପକ୍ଷରେ ବୈତରଣୀ ନଦୀ ଅବବାହିକାରେ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ସାଳନ୍ଦୀ ନଦୀକୁ ଜଳ ପ୍ରବାହ କମିଛି। ଯାଜପୁର, ଦଶରଥପୁର, ଧାମନଗର ଓ ଚାନ୍ଦବାଲିର ଅନେକ ଅଞ୍ଚଳରେ ବନ୍ୟା ପାଣି ପଶିଥିବା ବେଳେ ଭଦ୍ରକର ସ୍ଥିତି ଗୁରୁବାର ସୁଦ୍ଧା ସୁଧୁରିବ ବୋଲି ଆଶା କରାଯାଉଛି। ଆନନ୍ଦପୁର ଓ ଯାଜପୁର ନିକଟରେ ଥିବା କିଛି ଘାଇକୁ ବନ୍ୟା ପାଣି କମିବା ପରେ ମରାମତି କରାଯିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି।