ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ କରିବାବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ଅଘଟଣ ଘଟିଛି । ତିହିଡ଼ି ବ୍ଲକର ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ଡଙ୍ଗା ଓଲଟି ପଡ଼ିଥିବା ଜଣାପଡ଼ିଛି ।
ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ନିକଟରୁ ଓରାଳୀ ଗ୍ରାମକୁ ଯିବା ସମୟରେ ମନ୍ତ୍ରୀଙ୍କ ଡଙ୍ଗା ପ୍ରଖର ଜଳ ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବୋଟରେ ୧୨ରୁ ଅଧିକ ଲୋକ ଥିଲେ । ନିକଟରେ ଥିବା ଏକ ଗଛ ଏବଂ ଜାଲରେ ଅଟକି ଯାଇଥିଲା । ଏହି ସମୟରେ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ତଳକୁ ଡେଇଁ ପଡ଼ିଥିଲେ । ପରବର୍ତ୍ତୀ ସମୟରେ ନିଜେ ମନ୍ତ୍ରୀ ଏବଂ ଅନ୍ୟ ସଦସ୍ୟମାନେ ଡଙ୍ଗାକୁ ଟାଣି ଟାଣି ଆଣିଥିଲେ । ସମସ୍ତ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ଆଜି ସାଳନ୍ଦୀ, ବୈତରଣୀ ଓ ଗେଙ୍ଗୁଟି ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ତିହିଡ଼ି ବ୍ଲକ୍ ଅନ୍ତର୍ଗତ ବୋଡ଼କ ଓ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ରିଲିଫ୍, ସୁରକ୍ଷିତ ଆଶ୍ରୟ, ରନ୍ଧାଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିପତ୍ତି ସମୟରେ ଆମେ ଆପଣଙ୍କ ସହ ଅଛୁ, ଆଶଙ୍କିତ ନହୋଇ ସଚେତନ ରୁହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।