ମୟୁରଭଞ୍ଜ: ବାରିପଦା ସହରରେ ରାସ୍ତା ଧସିଯିବାରୁ ଏକ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିଛି । ଏଥିରେ ବସ୍ର ହେଲପର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାରିପଦା ସହରର ବସ୍ଷ୍ଟାଣ୍ଡ–ବାଘଡା ରୋଡ୍ର ମଧ୍ୟଭାଗରେ ଘଟିଛି। ବସ୍ଟିର ଛାଡ଼ିବା ସମୟ ହୋଇନଥିବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା । ଏହି ସମୟରେ ହଠାତ୍ ରାସ୍ତାର ଗାର୍ଡୱାଲ୍ ସହ ମାଟି ଧସିଯିବାରୁ ବସ୍ଟି ତଳକୁ ଓଲଟି ଯାଇଥିଲା। ଦୁର୍ଘଟଣା ବେଳେ ବସ୍ରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ତେବେ ବସ୍ର ହେଲପର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ, ଏହି ରାସ୍ତା ପୂର୍ବରୁ ଫାଟ ସୃଷ୍ଟି ହୋଇଥିବାରୁ ସେଠାରେ ଗାଡ଼ି ପାର୍କିଂ ନ କରିବାକୁ ପୌରପରିଷଦ ପକ୍ଷରୁ ସତର୍କ କରାଯାଇଥିଲା। ତଥାପି ସେଠାରେ ବସ୍ଟି ଛିଡ଼ା କରାଯାଇଥିବା ବେଳେ ଆଜି ଏହି ଦୁର୍ଘଟଣା ଘଟିଛି ।