ଭୁବନେଶ୍ୱର: ଓଡ଼ିଶା ସରକାର ଭଦ୍ରକ ଜିଲ୍ଲା ପାଇଁ ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଆସନ୍ତା ଜୁଲାଇ ୩୧ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିବା ପରେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିବେ।
୨୦୧୭ ବ୍ୟାଚର ଆଇଏଏସ୍ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା, କାର୍ଯ୍ୟଦକ୍ଷତା ଏବଂ ଦାୟିତ୍ୱବୋଧକୁ ବିଚାର କରି ରାଜ୍ୟ ସରକାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି।
ସରକାର ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୪(୧) ଅନୁଯାୟୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, ୨୦୧୧ ବ୍ୟାଚର ଏସ୍ସିଏସ୍ ଅଧିକାରୀ ଦିଲୀପ ରାଉତରାୟଙ୍କ କାର୍ଯ୍ୟକାଳ ଶେଷ ହେବା ସହ ଭଦ୍ରକ ଜିଲ୍ଲା ପ୍ରଶାସନରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ। ନୂତନ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ ଓ ପ୍ରଶାସନିକ କାର୍ଯ୍ୟ ଅଧିକ ଗତିଶୀଳ ହେବ ବୋଲି ଆଶା କରାଯାଉଛି।