ନୂଆଦିଲ୍ଲୀ: ହରିଦ୍ୱାରରେ ଶ୍ରାବଣ ଜଳଲାଗି ସମୟରେ ଏକ ବଡ଼ ଅଘଟଣ ଘଟିଛି । ହରିଦ୍ୱାର ଜଟୱାଡ଼ା ପୋଲ ନିକଟରେ ଗଙ୍ଗା ଘାଟରେ ବୁଡ଼ି ୪ ଜଣ ନାବାଳକ କାଉଡ଼ିଆ ପ୍ରାଣ ହରାଇଛନ୍ତି । ସମସ୍ତେ ଚଣ୍ଡିଗଡ଼ରୁ ଆସିଥିବା ସିଟି ଏସପି ଅଭୟ ପ୍ରତାପ ସିଂହ ସୂଚନା ଦେଇଛନ୍ତି ।
ପ୍ରଥମେ ଗଙ୍ଗା ଘାଟରେ ସ୍ନାନ କରିବା ସମୟରେ ଜଣେ ନାବାଳକ କାଉଡ଼ିଆ ପ୍ରଥମେ ବୁଡ଼ି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଅନ୍ୟ ତିନି ଜଣ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ଫଳରେ ୪ଜଣ ପ୍ରଖର ଜଳ ସ୍ରୋତରେ ଭାସି ଯାଇଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମାତ୍ର ସେତେବେଳକୁ ସମସ୍ତଙ୍କର ପ୍ରାଣବାୟୁ ଉଡ଼ିଥିଲା। ଏମାନେ ସମସ୍ତେ ଚଣ୍ଡିଗଡ଼ରୁ କାଉଡ଼ିଆ ଯାତ୍ରାରେ ଆସିଥିଲେ । ମୃତକଙ୍କୁ ଶିବାଂଶୁ, ନୀତେଶ, ଭରତ ଓ ରୋହିତ ନାମରେ ଚିହ୍ନଟ କରାଯାଇଛି ।
ପୋଲିସ ଅନୁଯାୟୀ, ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କ ଦଳ ଜଳାଭିଷେକ କରିବାକୁ ଚଣ୍ଡିଗଡ଼ରୁ ହରିଦ୍ୱାର ଆସିଥିଲେ । ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା । କେନାଲ ବନ୍ଦ ହେବା ସତ୍ତ୍ୱେ ଗଭୀର ପାଣି ଥିଲା । ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ କେନାଲ ପୂର୍ଣ୍ଣ ହୋଇଥିଲା ।