କେନ୍ଦୁଝର: ବନ୍ୟାରେ କେନ୍ଦୁଝର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ୧୩ ବ୍ଲକର ୯୪ ଗ୍ରାମ ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଲଗାଣ ବର୍ଷାରେ ବୈତରଣୀରେ ବନ୍ୟା ଆସିବା ଦ୍ୱାରା ହାଟଡିହି, ଆନନ୍ଦପୁର ଏବଂ ଘସିପୁରା ବ୍ଲକ ସହ, ଆନନ୍ଦପୁର ପୌରପରିଷଦର ଲୋକମାନେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପ୍ରାଥମିକ ସର୍ଭେ ବନ୍ୟାରେ ୩୦୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଏଥିସହ ୫୨୫ଟି ଘର ମଧ୍ୟ ଭାଙ୍ଗିଥିବା ସେ କହିଛନ୍ତି । ସମ୍ପୂର୍ଣ୍ଣ ବନ୍ୟା ଛାଡ଼ିଲେ ରାଜସ୍ଵ ବିଭାଗର ଆକଳନ ପରେ ପ୍ରକୃତ ତଥ୍ୟ ଜଣାପଡିବ । ବର୍ଷା କମିଥିବାରୁ ଏବେ ବନ୍ୟା ପରିସ୍ଥିତି ସୁଧୁରିଥିବା ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେହିପରି ପାଣିପାଗ ବିଭାଗର ପରାମର୍ଶକୁ ଅନୁସରଣ କରିବା ସହିତ ନଦୀକୂଳ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲ କିମ୍ବା ନଦୀବନ୍ଧକୁ ନ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।