ଭୁବନେଶ୍ୱର: ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ପାଣି ଛାଡ଼ିବା ପରେ ମାତ୍ର ତିନି ଦିନ ବା ୭୨ ଘଣ୍ଟା ମଧ୍ୟରେ ବନ୍ୟା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ପଦକ୍ଷେପ ନିଆଯିବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାଜଳ ହ୍ରାସ ପାଇବା ମାତ୍ରେ କ୍ଷୟକ୍ଷତିର ସର୍ଭେ ଆରମ୍ଭ ହେବ। ରିପୋର୍ଟ ପ୍ରସ୍ତୁତ ହେବା ପରେ ଯୋଗ୍ୟ କ୍ଷତିଗ୍ରସ୍ତଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି SRC କହିଛନ୍ତି।
ଅନ୍ୟପଟେ ରାଜ୍ୟର ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପ୍ରଭାବର ଚିତ୍ର ରଖିଛନ୍ତି। ରାଜ୍ୟର ୧୫ଟି ଜିଲ୍ଲା, ୫୭ଟି ବ୍ଲକ, ୪୪୬ଟି ପଞ୍ଚାୟତ ଓ ୧,୩୬୨ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ପ୍ରାୟ ୨ ଲକ୍ଷ ୬୮ ହଜାର ୯୪୩ ଜଣ ଲୋକ ଜଳବନ୍ଦୀ ହୋଇଥିବା ବେଳେ ୨୧ ହଜାର ୩୮୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ମହାନଦୀରେ ଜଳସ୍ତର ବଢ଼ୁଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟାରେ ସ୍ଥିତିରେ ସୁଧାର ଆସିପାରେ ବୋଲି ମନ୍ତ୍ରୀ କହିଛନ୍ତି। ଲୋକେ ନିଜ ଘରକୁ ଫେରିବା ପର୍ଯ୍ୟନ୍ତ ରିଲିଫ୍ ସେଣ୍ଟର ଚାଲୁ ରହିବ।
ଘାଇ ସଂଖ୍ୟା ଦୃଷ୍ଟିରୁ ଯାଜପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ପଛକୁ ଭଦ୍ରକ ରହିଛି। ବନ୍ୟା ପରବର୍ତ୍ତୀ ସମୟରେ ତ୍ୱରିତ ସର୍ଭେ ଓ କ୍ଷତିପୂରଣ ଦେବାକୁ ସରକାର ଗୁରୁତ୍ୱ ଦେଇଛନ୍ତି।