ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିକାଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା BDA ଅଧ୍ୟକ୍ଷ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୧୫୨ତମ କର୍ତ୍ତୃପକ୍ଷ ବୈଠକରେ ବହୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏହି ବୈଠକର ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ବହୁ ପ୍ରତୀକ୍ଷିତ ‘ଏକାମ୍ର ରେସିଡେନ୍ସି’ ଆବାସ ପ୍ରକଳ୍ପକୁ ଅନୁମୋଦନ। ପ୍ରକଳ୍ପଟି ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପାଇସାରିଥିବା ବେଳେ ଫ୍ଲାଟ୍ର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ପରିବାରଙ୍କ ସାମର୍ଥ୍ୟକୁ ଧ୍ୟାନରେ ରଖି ଦର ଧାର୍ଯ୍ୟ କରାଯାଇଥିବାରୁ ଅନେକ ପରିବାରଙ୍କ ନିଜ ଘର ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଛି।
ସୁବୁଦ୍ଧିପୁରର ୭.୩୬ ଏକର ଜମିରେ ନିର୍ମିତ ଏହି ପ୍ରକଳ୍ପରେ ତିନୋଟି ବହୁତଳ ଟାୱାରରେ ୨ ବିଏଚକେ ଓ ୩ ବିଏଚକେ ଫ୍ଲାଟ୍ ରହିଛି। ଭୂକମ୍ପ ପ୍ରତିରୋଧକ ନିର୍ମାଣ, ସୁଇମିଂ ପୁଲ୍, ଜିମ୍, କମ୍ୟୁନିଟି ହଲ୍, ପିଲାଙ୍କ ଖେଳ ସ୍ଥାନ, ଜଗିଂ ଟ୍ରାକ୍, ସିସିଟିଭି, ପାୱାର ବ୍ୟାକଅପ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆଧୁନିକ ସୁବିଧା ଏଠାରେ ଉପଲବ୍ଧ ହେବ।
କେବଳ ଆବାସ ପ୍ରକଳ୍ପ ନୁହେଁ, ସହରର ଯାତାୟାତ ଓ ପରିବେଶକୁ ଉନ୍ନତ କରିବା ପାଇଁ ଏକାମ୍ର କାନନ ଛକରୁ ହାତିଆସୁଣି ପର୍ଯ୍ୟନ୍ତ ବାମ ପାର୍ଶ୍ୱ ରାସ୍ତାରେ ଛାୟାଯୁକ୍ତ ସାଇକେଲ୍ ଟ୍ରାକ୍ ଓ ଫୁଟପାଥ ନିର୍ମାଣକୁ ମଧ୍ୟ ମଞ୍ଜୁରି ମିଳିଛି। ଏହାଦ୍ୱାରା ପଥଚାରୀ ଓ ସାଇକେଲ୍ ଚାଳକମାନେ ଅଧିକ ସୁବିଧା ପାଇବେ।
ଏହାଛଡ଼ା ବାଣୀବିହାର ନିକଟ ଡ୍ରେନ୍ ନମ୍ବର-୪ରେ ୧୦ କେଏଲଡି କ୍ଷମତା ବିଶିଷ୍ଟ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ନିର୍ମାଣ, ସିଆରପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସର ପୁନଃବିକାଶ ଏବଂ ମାଲିପଡ଼ା, ଦାସପୁର, ବିଜିପୁର, ବାଲିଆପଡ଼ା, କାଶୀପୁର, ଭଗବାନପୁର ଓ ପାତ୍ରପଡ଼ା ଅଞ୍ଚଳର ଟାଉନ ପ୍ଲାନିଂ ସ୍କିମ୍କୁ ମଧ୍ୟ ଅନୁମୋଦନ ଦିଆଯାଇଛି।
ବୈଠକରେ ପ୍ରସ୍ତାବିତ ନ୍ୟୁ ସିଟି ଓ ଭୁବନେଶ୍ୱର ଟାଉନ ସେଣ୍ଟର (BTC) ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଉଭୟ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିକୁ ନେଇ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି। BDAର ଏହି ସମସ୍ତ ନିଷ୍ପତ୍ତି ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ ଅଧିକ ଆଧୁନିକ, ସୁନିୟୋଜିତ ଓ ବାସଯୋଗ୍ୟ ସହରରେ ପରିଣତ କରିବ ବୋଲି ଆଶା କରାଯାଉଛି।