ଭୁବନେଶ୍ୱର: ବନ୍ଧକ ଶ୍ରମ ସମ୍ପର୍କିତ ଘଟଣା ଚିହ୍ନଟ ହେଲେ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକଙ୍କୁ ଉଦ୍ଧାର, ମୁକ୍ତି ଓ ଥଇଥାନ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଭୁବନେଶ୍ୱର ଉପଖଣ୍ଡରେ ଆଗାମୀ ୩ ମାସ ପାଇଁ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ଏସ୍ଡିଏମ୍-ତଥା-ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉପଖଣ୍ଡସ୍ତରୀୟ ବନ୍ଧକ ଶ୍ରମ ଭିଜିଲାନ୍ସ କମିଟିର ବୈଠକ ତଥା ତାଲିମ କାର୍ଯ୍ୟକ୍ରମରେ ଏ ନେଇ ଆଲୋଚନା ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପଖଣ୍ଡରେ ବନ୍ଧକ ଶ୍ରମ ପ୍ରଥାର ନିରାକରଣ, ବନ୍ଧକ ଶ୍ରମିକ ଚିହ୍ନଟ, ଉଦ୍ଧାର ଓ ଥଇଥାନ ନେଇ ଏହି ବୈଠକ ତଥା ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉତ୍କଳ ସେବକ ସମାଜର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍ ମିଶନ୍ (IJM) ବୈଷୟିକ ସହଯୋଗୀ ଭାବେ ଯୋଗଦେଇଥିଲା।
ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ, ଡିଭିଜନାଲ ଲେବର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ), ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା, ଭୁବନେଶ୍ୱର ଉପଖଣ୍ଡ ଅଧୀନ ବିଭିନ୍ନ ବ୍ଲକ୍ର ବିଡିଓ, ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ ଭିଜିଲାନ୍ସ କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନ୍, ଓଡ଼ିଶାର ଷ୍ଟେଟ୍ ପ୍ରୋଗ୍ରାମ ଡାଇରେକ୍ଟର ଜୟନ୍ତ କୁମାର ନାଗ ବନ୍ଧକ ଶ୍ରମ ପ୍ରଥାର ନିରାକରଣ, ଶ୍ରମିକଙ୍କ ଚିହ୍ନଟ ଓ ଉଦ୍ଧାର, ମୁକ୍ତି ପ୍ରମାଣପତ୍ର ପ୍ରଦାନ, ଥଇଥାନ ଏବଂ ଏ ସମ୍ପର୍କିତ ଆଇନଗତ ବ୍ୟବସ୍ଥା ଉପରେ ତାଲିମ ପ୍ରଦାନ କରିଥିଲେ।
ବୈଠକରେ ଡ. ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ୩ ମାସର କାର୍ଯ୍ୟଖସଡ଼ା ଅନୁଯାୟୀ, ଭୁବନେଶ୍ୱର ଉପଖଣ୍ଡରେ ବନ୍ଧକ ଶ୍ରମ ସମ୍ପର୍କିତ ଘଟଣା ଚିହ୍ନଟ ହେଲେ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକମାନଙ୍କୁ ଉଦ୍ଧାର, ମୁକ୍ତି ଓ ଥଇଥାନ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପଦକ୍ଷେପ ନେବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଭିଜିଲାନ୍ସ କମିଟିର ସଦସ୍ୟମାନେ ନିଜ ମତାମତ ରଖିବା ସହ ବନ୍ଧକ ଶ୍ରମ ପ୍ରଥା ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। କୌଣସି ସ୍ଥାନରେ ବନ୍ଧକ ଶ୍ରମିକ ଚିହ୍ନଟ ହେଲେ ବିଳମ୍ବ ନକରି ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା।
ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟାପକ ଜନସଚେତନତା ଅଭିଯାନ ଆୟୋଜନ ପାଇଁ ପ୍ରସ୍ତାବ ରଖିଥିଲେ। ଏହି ଅଭିଯାନ ମାଧ୍ୟମରେ ବନ୍ଧକ ଶ୍ରମ ପ୍ରଥାର କୁପରିଣାମ, ଆଇନଗତ ବ୍ୟବସ୍ଥା, ଶ୍ରମିକଙ୍କ ଅଧିକାର ଏବଂ ସରକାରୀ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।