ବାଲେଶ୍ୱର: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା। ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ (BEO) କାର୍ଯ୍ୟାଳୟର ପୂର୍ବତନ ଜୁନିଅର ଆସିଷ୍ଟାଣ୍ଟ ଦେବଦ୍ୟୁତି ନନ୍ଦଙ୍କୁ ଭିଜିଲାନ୍ସ ଶନିବାର ଗିରଫ କରିଛି। ତାଙ୍କ ବିରୋଧରେ ୩୭ ଲକ୍ଷ ୩୨ ହଜାର ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଗୁରୁତର ଅଭିଯୋଗ ରହିଛି।
ସୂଚନା ଅନୁସାରେ, ଦେବଦ୍ୟୁତି ନନ୍ଦ ବର୍ତ୍ତମାନ ବାଲିଆପାଳ ବ୍ଲକର ଜଗାଇସ୍ଥିତ ପଦ୍ମଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ସେ ୨୦୨୨ରୁ ୨୦୨୬ ମଧ୍ୟରେ ବାଲିଆପାଳ ବିଇଓ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ବିଲ୍ କ୍ଲାର୍କ-କମ୍-ଆକାଉଣ୍ଟାଣ୍ଟ ଭାବେ ଦାୟିତ୍ୱରେ ଥିଲେ।
ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି ଯେ, ସେ ଅନ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବକେୟା ବିଲ୍ ମଧ୍ୟରେ ନିଜ ନାମରେ ଜାଲ୍ ଆରିୟର ବିଲ୍ ପ୍ରସ୍ତୁତ କରି ଯୋଡ଼ିଥିଲେ। ପରେ ସେହି ଜାଲ୍ ବିଲ୍ ଆଧାରରେ ସରକାରୀ ଅର୍ଥକୁ ନିଜ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିଲେ। ଏଭଳି ଉପାୟରେ ସେ ମୋଟ ୩୭.୩୨ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୧୩/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ-୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୪୬୭, ୪୬୮, ୪୭୧ ଓ ୪୭୭-ଏ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।