କଟକ: ମହାନଦୀରେ ବନ୍ୟା ପାଣିର ପ୍ରବାହ ଧୀରେ ଧୀରେ କମୁଥିଲେ ମଧ୍ୟ ବିପଦ ଏବେ ବି ଟଳିନାହିଁ। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ଗଡ଼ଗଡ଼ିଆ ଘାଟ ସମେତ ମହାନଦୀ କୂଳରେ ଜାରି ଥିବା ସୁରକ୍ଷା କଟକଣାକୁ ଆଉ ୪୮ ଘଣ୍ଟା ପାଇଁ ବଢ଼ାଇଛି। ଏହି କଟକଣା ଅଗଷ୍ଟ ୩ ପର୍ଯ୍ୟନ୍ତ ବଳବତ୍ତର ରହିବ।
ପ୍ରଶାସନର ସୂଚନା ଅନୁସାରେ, କାଉଡ଼ିଆ ଭକ୍ତମାନଙ୍କୁ ଗଡ଼ଗଡ଼ିଆ ଘାଟରୁ ପାଣି ସଂଗ୍ରହ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ଧବଳେଶ୍ୱର ମନ୍ଦିରକୁ ମଧ୍ୟ ଅନାବଶ୍ୟକ ଯାତ୍ରା ନ କରିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି। ନଦୀରେ ସ୍ରୋତ କମିଥିଲେ ମଧ୍ୟ ବର୍ତ୍ତମାନ ଏହା ଅତ୍ୟନ୍ତ ବିପଜ୍ଜନକ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ମୁଣ୍ଡଳିଠାରେ ମହାନଦୀର ଜଳପ୍ରବାହ ପ୍ରତି ତିନି ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ହାରରେ କମୁଛି। ତଥାପି ହୀରାକୁଦ ଡ୍ୟାମ୍ର ୨୨ଟି ଗେଟ୍ ଦେଇ ପାଣି ନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ନଦୀରେ ପ୍ରବଳ ସ୍ରୋତ ରହିବ ବୋଲି ପ୍ରଶାସନ ସତର୍କ କରିଛି।
ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ବନ୍ୟା ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ଓ ଜରୁରୀ ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବ୍-କଲେକ୍ଟର, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର ଅଧିକାରୀମାନଙ୍କୁ ସତର୍କ ରହିବା ସହ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ନଜର ରଖିବାକୁ କୁହାଯାଇଛି।
ଏହାସହ ମହାନଦୀ ଓ ଏହାର ଶାଖା ନଦୀର ସମସ୍ତ ଘାଟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଛି। ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ବ୍ୟାରେଜ୍ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି। ସେହିପରି ବ୍ରିଜ୍, ବନ୍ଧ ଓ ବ୍ୟାରେଜ୍ ଉପରେ ଛିଡ଼ା ହୋଇ ବନ୍ୟା ପାଣି ଦେଖିବା କିମ୍ବା ଭିଡିଓ କରିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।