ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ସାମ୍ନାରୁ ଲୁଟ୍ ହୋଇଛି । ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ।
ସୂଚନା ମୁତାବକ, ସାଇଲଢା ଗ୍ରାମର ଏମ୍. ସୂରିୟା ରାଓ ନିଜର ଘର କାମ ପାଇଁ ଆଜି ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ଆସିଥିଲେ । ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ସେ ବାହାରୁଥିବା ସମୟରେ ପୂର୍ବରୁ ଲୁଚି ବସିଥିବା ଲୁଟେରାଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । ଲୁଟେରାମାନେ ପୂର୍ବରୁ ରାସ୍ତା ଉପରେ ଖୁଚୁରା ପକାଇଥିଲେ, ଯାହାକୁ ଦେଖିବା ପରେ ସୂରିୟା ତାଙ୍କ ଗାଡ଼ିରୁ ଓହ୍ଲାଇ ଖୁଚୁରା ପଇସା ଗୋଟାଇଥିଲେ । ଏହି ସମୟରେ ଲୁଟେରାମାନେ ତାଙ୍କୁ ଗାଡିରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏମ୍. ସୂରିୟା ରାଓ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଲୁଟ୍ କାଣ୍ଡରେ ୪ ଜଣିଆ ଦୁର୍ବୃତ୍ତ ଗ୍ରୁପ୍ ସାମିଲ ଥିଲେ ପୋଲିସ ପକ୍ଷରୁ ମିଳିଛି ସୂଚନା। ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାଙ୍କ ଓ ଆଖପାଖ ଅଞ୍ଚଳରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ଜଣେ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଏହି ଘଟଣାରେ ଅନ୍ୟ ମାନେ ବର୍ତ୍ତମାନ ସୁଦ୍ଧା ପୋଲିସ୍ କୁ ହାତରେ ଧରା ପଡ଼ିନାହାନ୍ତି। ପୂର୍ବରୁ ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଅନେକ ଲୁଟ ଘଟଣାରେ ଏହି ଗ୍ୟାଙ୍ଗ ସାମିଲ୍ ଥିଲା ପୋଲିସ ତାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।