ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତକୁ ନଜରରେ ରଖି ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମଗ୍ର ଗସ୍ତକାଳୀନ ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ଡା. ସୁରେଶ ଦେବ ଦତ୍ତ ସିଂହ ଶନିବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି ଯେଉଁ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ, ସେହି ସ୍ଥାନ, ଯାତାୟାତ ମାର୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ।
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର, ଭୁବନେଶ୍ୱର ରେଳ ଷ୍ଟେସନ ଏବଂ କମିଶନରେଟ ପୋଲିସ ଅଧୀନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯିବ। ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ଏବଂ ରେଳ ଷ୍ଟେସନରୁ ବିଭିନ୍ନ ରୁଟ୍ରେ ସୁରକ୍ଷାକୁ ଆହୁରି କଡ଼ା କରାଯିବ।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ରୁଟ୍ର ସୁରକ୍ଷା ତଦାରଖ ଦାୟିତ୍ୱ ଏସପି ପାହ୍ୟାର ଅଧିକାରୀମାନଙ୍କୁ ଦିଆଯାଇଛି। ସେହିପରି ଟ୍ରାଫିକ ପରିଚାଳନା ଏବଂ ରୁଟ୍ ବ୍ୟବସ୍ଥାପନା ଡିସିପି ପାହ୍ୟାର ଅଧିକାରୀମାନେ ସମ୍ଭାଳିବେ। ବିମାନବନ୍ଦର ଓ ରେଳ ଷ୍ଟେସନରେ ବରିଷ୍ଠ ପୋଲିସ ଅଧିକାରୀମାନେ ସିଧାସଳଖ ନଜର ରଖିବେ।
ଡା. ସିଂହ କହିଛନ୍ତି ଯେ, ସେ ନିଜେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସାଧାରଣ ଲୋକଙ୍କ ଅସୁବିଧା କମାଇବା ପାଇଁ ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ ଓ ରୁଟ୍ ଲାଇନିଂ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଅଗଷ୍ଟ ୪ ତାରିଖରେ ସେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।