ଭୁବନେଶ୍ୱର: ରାଜ୍ୟରେ ଆସିଥିବା ମଧ୍ୟମ ଧରଣର ବନ୍ୟାରେ ପଶୁ ସମ୍ପଦର ବ୍ୟାପକ କ୍ଷୟକ୍ଷତି ହୋଇଛି । ମୋଟ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି । ଏ ନେଇ ପଶୁ ସମ୍ପଦ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି ।
ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁଯାୟୀ, ଜୁଲାଇ ୩୧ (ଶୁକ୍ରବାର) ସୁଦ୍ଧା ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି । ମୋଟ୍ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ସେହିପରି ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାରେ ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ଓ ଚିକିତ୍ସା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ମୋଟ ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି । ସେହିପରି ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରାଣୀମାନଙ୍କ ପାଇଁ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ ବା ନଡ଼ା ବଣ୍ଟନ କରାଯାଇଛି ।
ଟିକାକରଣ ଅଭିଯାନରେ ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଆଜିର ସଦ୍ୟତମ ସୂଚନା ଆଧାରରେ, ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦ୍ୱାରା ପ୍ରଭାବିତ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।