ରାଉରକେଲା ପୋଲିସ ପୁଣି ଥରେ ଦ୍ରୁତ ତଦନ୍ତର ଉଦାହରଣ ସୃଷ୍ଟି କରିଛି। ଜରାଇକେଲାସ୍ଥିତ ଏସ୍ବିଆଇ ଏଟିଏମ୍ରେ ହୋଇଥିବା ଲୁଟ୍ ଉଦ୍ୟମ ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ମାମଲାର ପର୍ଦ୍ଦାଫାଶ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି।
ସୂଚନା ଅନୁସାରେ, ଜୁଲାଇ ୩୦ ଓ ୩୧ ତାରିଖ ମଧ୍ୟରାତ୍ରିରେ ଜରାଇକେଲା ଏସ୍ବିଆଇ ଏଟିଏମ୍ରେ ଲୁଟ୍ ଉଦ୍ୟମ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ରାଉରକେଲା ପୋଲିସ ତୁରନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲା। ପୋଲିସ ସିସିଟିଭି ଫୁଟେଜ୍, ବୈଜ୍ଞାନିକ ପ୍ରମାଣ, ଟେକ୍ନିକାଲ ସର୍ଭେଲାନ୍ସ, ଗୁଇନ୍ଦା ସୂଚନା ଏବଂ ଆନ୍ତଃରାଜ୍ୟ ସମନ୍ୱୟ ମାଧ୍ୟମରେ ତଦନ୍ତକୁ ଆଗେଇ ନେଇଥିଲା।
ତଦନ୍ତ ସମୟରେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଅଞ୍ଚଳରୁ ମହୁଲଡିହା ଗାଁର ୨୨ ବର୍ଷୀୟ ଶୁଭମ ମହାତୋଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୮,୩୦୦ ଟଙ୍କା ନଗଦ, ଏକ ଲୁହା ରଡ୍ ଏବଂ ଘଟଣାରେ ବ୍ୟବହୃତ ଦୁଇଟି କି-ପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୋଲିସ କହିଛି, ଏଟିଏମ୍ରେ ଥିବା ୨୧.୪୪ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଲୁଟେରା ଟଙ୍କା ନେବାରେ ସଫଳ ହୋଇପାରିନଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କର ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତାଙ୍କର କୌଣସି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।
ଏହି ମାମଲାର ଶୀଘ୍ର ସମାଧାନକୁ ରାଉରକେଲା ପୋଲିସ ନିଜର ଦକ୍ଷତା ଓ ବୃତ୍ତିଗତ କାର୍ଯ୍ୟଶୈଳୀର ଉଦାହରଣ ବୋଲି କହିଛି। ସେହିପରି ସାଧାରଣ ଲୋକଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ପୋଲିସ ହେଲ୍ପଲାଇନ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।