ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । କହିବାକୁ ଗଲେ ଅଧା ଓଡ଼ିଶା ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବନ୍ୟାରେ ଓଡ଼ିଶାର ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହୋଇଛି । ତେଣୁ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଅଞ୍ଚଳ ଏବେବି ପାଣି ଘେରରେ ଥିବାରୁ ରାଜସ୍ୱ ନିରୀକ୍ଷକମାନେ ଗ୍ରାଉଣ୍ଡ ଜିରୋକୁ ଯାଇପାରୁନାହାଁନ୍ତି । ପାଣି ଛାଡ଼ିବା ପରେ ଆରଆଇମାନେ କ୍ଷୟକ୍ଷତିର ଆକଳନ କରିଛନ୍ତି । ବନ୍ୟା ସମୟରେ ପାନୀୟ ଜଳର ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ଓ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତେଣୁ ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ୩ ଦିନ ଭିତରେ ତୁରନ୍ତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ସମୟରେ ସଠିକ୍ ରିପୋର୍ଟ ଦେବାକୁ କୁହାଯାଇଛି । ସରକାର ଲୋକଙ୍କ ସେବା ସଦସର୍ବଦା ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।