ଭୁବନେଶ୍ୱର: ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଅଧୀନରେ ଅନୁଷ୍ଠିତ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହା କୌଣସି ପ୍ରକାରର ପ୍ରଶ୍ନପତ୍ର ଲିକ୍ ନୁହେଁ, ବରଂ ପରୀକ୍ଷା ଚାଲିଥିବା ସମୟରେ ପରିଚାଳନାରେ ହୋଇଥିବା ଏକ ତ୍ରୁଟି ଯୋଗୁଁ କେହିଜଣେ ପ୍ରଶ୍ନଗୁଡ଼ିକର ଫଟୋ ଉଠାଇ ଫୋନ୍ ମାଧ୍ୟମରେ ସେୟାର୍ କରିଥିଲେ। ଏହି ଘଟଣାର ପର୍ଦ୍ଦାଫାଶ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ବଡ଼ ପଦକ୍ଷେପ ନିଆଯାଇଛି।
ତିନିଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ
ସମଗ୍ର ଘଟଣାର ସମସ୍ତ ଦିଗ ଏବଂ OUHS ପକ୍ଷରୁ ହୋଇଥିବା ସମ୍ଭାବ୍ୟ ତ୍ରୁଟିର ଗୁରୁତର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର ଏବଂ ଯୁଗ୍ମ ଡିଏମଇଟି ଡାକ୍ତର ଅନିଲ କୁମାର ସାହୁ ସଦସ୍ୟ ଭାବେ ରହିଛନ୍ତି।
ଏମକେସିଜି (MKCG) ମେଡିକାଲ୍ କଲେଜରୁ ସ୍ପଷ୍ଟୀକରଣ ତଲବ
ପରୀକ୍ଷା ପରିଚାଳନାରେ ହୋଇଥିବା ଏଭଳି ତ୍ରୁଟିକୁ ନେଇ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପକ୍ଷରୁ ଏମକେସିଜି ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ତଲବ କରାଯାଇଛି। ଚିଠି ହସ୍ତଗତ ହେବାର ଦୁଇ ଦିନ ଭାତ୍ରେ ଲିଖିତ ଉତ୍ତର ରଖିବାକୁ କୁହାଯାଇଛି (ପତ୍ର ସଂଖ୍ୟା ୪୦୦୬/ouhs, ତା- ୩୧/୦୭/୨୦୨୬)।
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର କମିଟି
ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଲେଜ ସ୍ତରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମକେସିଜି ଡିନ୍ ତଥା ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ ଜାରି ରହିଛି ।
କ୍ୟାପିଟାଲ ଥାନାରେ ଏଫ୍ଆଇଆର୍ (FIR) ରୁଜୁ
ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରଶ୍ନପତ୍ରକୁ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପ୍ରସାରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍ ରୁଜୁ କରାଯାଇଛି। OUHS ର ପରୀକ୍ଷା ନିୟନ୍ତ୍ରକଙ୍କ ଅଭିଯୋଗ ଆଧାରରେ (କମ୍ପ୍ଲେନ୍ ନମ୍ବର ୨୪୮୬୭୦୦୫୦୭୨୬୦୦୦୪୦) ଏମକେସିଜି ମେଡିକାଲ କଲେଜ ଏବଂ ଏକ ବେସରକାରୀ ମେଡିକାଲ କଲେଜକୁ ନେଇ ଏହି ମାମଲା ରୁଜୁ ହୋଇଛି। ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତଦନ୍ତର ଅଗ୍ରଗତି ଏବଂ ମିଳିଥିବା ପ୍ରମାଣକୁ ଆଧାର କରି ଆଗାମୀ ଦିନରେ ଅଧିକ କଡ଼ା ପଦକ୍ଷେପ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।