ଭୁବନେଶ୍ବର: ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଅଧୀନରେ ପରିଚାଳିତ ପୋଷ୍ଟ ଗ୍ରାଜୁଏଟ୍ (PG) ପରୀକ୍ଷାରେ ସାମ୍ନାକୁ ଆସିଥିବା ବ୍ୟାପକ ଅନିୟମିତତା ଏବଂ ଗଣ୍ଡଗୋଳକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପୂରା ପ୍ରକ୍ରିୟାର ସଠିକ୍ ଓ ନିରପେକ୍ଷ ତଦନ୍ତ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ବିଜୟ କୁମାର ଦାଶ (ଆଇଏଏସ), ସ୍ପେଶାଲ ସେକ୍ରେଟାରୀ (MS) ଡା. ବିଜୟ କୁମାର ମିଶ୍ର ଏବଂ ଯୁଗ୍ମ DMET ଡା. ଅନି କୁମାର ସାହୁଙ୍କୁ ନେଇ ଏକ ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ କରାଯାଇଛି।
ନିର୍ଦ୍ଦେଶନାମା ଅନୁଯାୟୀ, ଏହି କମିଟି ଘଟଣାର ସମସ୍ତ ଦିଗରୁ ଗଭୀର ଯାଞ୍ଚ କରିବା ସହ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟି କିମ୍ବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅବହେଳା ହୋଇଥିଲେ ତାହାକୁ ଚିହ୍ନଟ କରି ମାତ୍ର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଗତ ୨୭ ତାରିଖରେ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜରୁ ଏହି ପରୀକ୍ଷାରେ ଏକ ବଡ଼ଧରଣର ଗଣ୍ଡଗୋଳ ଓ ଅନିୟମିତତା ନଜରକୁ ଆସିଥିଲା। ଅଭିଯୋଗ ହୋଇଥିଲା ଯେ, ମୋଟା ଅଙ୍କର ଟଙ୍କା ବଦଳରେ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପରୀକ୍ଷା ପ୍ରଶ୍ନପତ୍ରର କପି ଛାତ୍ରଛାତ୍ରୀଙ୍କୁ ପଠାଯାଉଥିଲା। ବିଶେଷକରି ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି।
ମେଡିକାଲ ପରୀକ୍ଷା ବିବାଦକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି (ଭିସି)। ସେ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ସିଧାସଳଖ 'ପେପର ଲିକ୍' କୁହାଯାଇପାରିବ ନାହିଁ, ବରଂ ଏହା ମାଲ୍ ପ୍ରାକ୍ଟିସ୍ ବା ଅସାଧୁଉପାୟ ଅଟେ। ତାଙ୍କ କହିବାନୁଯାୟୀ, ଯଦି ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ବାହାରକୁ ଆସିଥାନ୍ତା, ତେବେ ତାହାକୁ ଲିକ୍ କୁହାଯାଇଥାନ୍ତା। କିନ୍ତୁ ପରୀକ୍ଷା ଆରମ୍ଭ ହେବା ପରେ ମୋବାଇଲ ଜରିଆରେ ପ୍ରଶ୍ନପତ୍ର ବାହାରକୁ ଭାଇରାଲ ହୋଇଛି। ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ଡିନ୍ଙ୍କୁ ରିପୋର୍ଟ ମଗାଯାଇଥିବା ବେଳେ ତଦନ୍ତ ରିପୋର୍ଟ ହାତକୁ ଆସିବା ପରେ ହିଁ ପରୀକ୍ଷା ପୁନର୍ବାର କରାଯିବ କି ନାହିଁ, ସେନେଇ ପରୀକ୍ଷା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ।
ରାଜ୍ୟ ସରକାରଙ୍କ ତଦନ୍ତ ଟିମ୍ ବ୍ୟତୀତ ଏମକେସିଜି କର୍ତ୍ତୃପକ୍ଷ ମଧ୍ୟ ନିଜସ୍ୱ ସ୍ତରରେ ଏକ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ଏହି କମିଟିରେ ମେଡିକାଲ ରେଜିଷ୍ଟ୍ରାର୍ ଶ୍ୱେତ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସଙ୍କ ସମେତ ପ୍ରଫେସର ଡାକ୍ତର ଶିବ ପ୍ରସାଦ ପଟ୍ଟନାୟକ, ପ୍ରଫେସର ଡାକ୍ତର ଚନ୍ଦ୍ର ଶେଷର ତ୍ରିପାଠୀ ଏବଂ ପ୍ରଫେସର ଡାକ୍ତର ସଦେବବ୍ରତ ନାଥ ଶର୍ମା ପ୍ରମୁଖ ସାମିଲ ଅଛନ୍ତି। ଏହି ଆଭ୍ୟନ୍ତରୀଣ କମିଟି ଆସନ୍ତା ତିନି ଦିନ ଭିତରେ ନିଜର ତଦନ୍ତ ରିପୋର୍ଟ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବ।
ଗତକାଲି ଘଟଣାକୁ ନେଇ ପ୍ରତିକ୍ରିୟା ରଖି ଏମକେସିଜି ଡିନ୍ କହିଥିଲେ ଯେ ଘଟଣାର ପର୍ଦ୍ଦାଫାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦିନରେ ଏଭଳି ଭୁଲ୍ ଯେଭଳି ଆଉ ନହୁଏ, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯିବ। ପରୀକ୍ଷା ହଲ୍ ଭିତରକୁ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ହାତଘଣ୍ଟାକୁ କିଛିଟା କୋହଳ କରାଯାଇଛି। କିନ୍ତୁ ପରୀକ୍ଷାର୍ଥୀ ପିନ୍ଧିଥିବା ସ୍ମାର୍ଟଓ୍ବାଚ୍ ଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ତନଖି କରିବା ସମ୍ଭବପର ହେଉନାହିଁ ଏବଂ ହଲ୍ ଭିତରୁ ହିଁ କେହି ଜଣେ ସ୍ମାର୍ଟ ଯନ୍ତ୍ରାଂଶ ଜରିଆରେ ପ୍ରଶ୍ନପତ୍ର ବାହାରକୁ ପଠାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।