ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ କ୍ରମାଗତ ଭାବେ ଜଳ ନିଷ୍କାସନ ପରିମାଣ ବୃଦ୍ଧି ପାଉଥିବା ଏବଂ ମହାନଦୀ ଅବବାହିକାରେ ଜଳସ୍ତର ଉପରମୁହାଁ ହୋଇଥିବା ପରିସ୍ଥିତିକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ଏହାକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ରିଲିଫ୍ କମିଶନର (ଏସ୍ଆର୍ସି) ରାଜେଶ ପ୍ରଭାକର ପାଟିଲ୍ ରାଜ୍ୟର ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଗତ ରହିବା ସହ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ସୁବର୍ଣ୍ଣପୁର ରହିଛି। ସାମ୍ପ୍ରତିକ ସ୍ଥିତି ଅନୁଯାୟୀ ମହାନଦୀରେ ପ୍ରବାହିତ ଜଳର ପରିମାଣ ୮ ଲକ୍ଷ କ୍ୟୁସେକ୍ ରହିଥିବା ବେଳେ ହୀରାକୁଦ ଡ୍ୟାମର ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏପରି ସ୍ଥିତିରେ ମହାନଦୀ ଓ ଏହାର ସମସ୍ତ ଉପନଦୀର ଜଳସ୍ତର ଉପରେ କ୍ରମାଗତ ନଜର ରଖିବାକୁ ଏବଂ ତଳମୁଣ୍ଡର ସମସ୍ତ ବନ୍ୟାପ୍ରବଣ ତଥା ନିମ୍ନାଞ୍ଚଳରେ ଜରୁରୀ ସତର୍କତାମୂଳକ ପଦକ୍ଷେପ ଆପଣାଇବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନଦୀକୂଳ ଏବଂ ନଦୀବନ୍ଧଗୁଡ଼ିକରେ, ବିଶେଷକରି ରାତି ସମୟରେ ପୋଲିସ ସହାୟତାରେ ଚବିଶ ଘଣ୍ଟିଆ ପାଟ୍ରୋଲିଂ ବା ପହରା ଜାରି ରଖିବାକୁ କୁହାଯାଇଛି। ସମସ୍ତ ବିଭାଗ ମଧ୍ୟରେ ପରସ୍ପର ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା କରିବାକୁ କୁହାଯାଇଛି। ଏଥିସହ ନଦୀବନ୍ଧଗୁଡ଼ିକର ସୁରକ୍ଷା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ବନ୍ଧ ଦୁର୍ବଳ ହେବା, ଜଳ ଲିକେଜ୍ ହେବା, କ୍ଷୟ ହେବା କିମ୍ବା ଅନ୍ୟ କୌଣସି ବିପଦର ସଙ୍କେତ ମିଳିଲେ ତତ୍କାଳ ଆବଶ୍ୟକୀୟ ମରାମତି ଏବଂ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।
ହୀରାକୁଦରୁ ପାଣି ଛଡ଼ାଯାଉଥିବା ସମୟରେ ନଦୀଗର୍ଭ, ବାଲିଚର, ନଦୀଘାଟ, ନିମ୍ନାଞ୍ଚଳ ଦ୍ୱୀପ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ନିୟାମକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି।
ଲୋକଙ୍କୁ ସଚେତନ କରିବା ନିମନ୍ତେ ମାଇକ୍, ସାଇରନ୍, ଇଲେକ୍ଟ୍ରୋନିକ୍ ଓ ସୋସିଆଲ ମିଡିଆ ଏବଂ ସ୍ଥାନୀୟ କେବୁଲ୍ ନେଟ୍ୱାର୍କ୍ ଜରିଆରେ ବ୍ୟାପକ ପ୍ରଚାର କରାଯାଉଛି। ନଦୀରେ ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଇବା, ବାଲି ଉତ୍ତୋଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ବିରତ ରହିବାକୁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଆବଶ୍ୟକ ପଡ଼ିଲେ ମତ୍ସ୍ୟଜୀବୀ, ଡଙ୍ଗା ମାଲିକ ଏବଂ ବାଲି ଉତ୍ତୋଳନକାରୀଙ୍କ ପାଇଁ ସ୍ୱତନ୍ତ୍ର କଟକଣା ଓ ପରାମର୍ଶାବଳୀ ଜାରି କରାଯିବ।
ସେହିପରି ପଶୁପାଳକମାନେ ଯେପରି ନଦୀଗର୍ଭ, ବାଲିଚର ଓ ନିମ୍ନାଞ୍ଚଳରେ ଗାଈଗୋରୁ କିମ୍ବା ପାଳିତ ପ୍ରାଣୀଙ୍କୁ ଚରାଇବାକୁ ନ ନେବେ, ସେନେଇ ସେମାନଙ୍କୁ ସଚେତନ କରାଯିବା ସହ ଜରୁରୀସ୍ଥଳେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ (BDO), ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ନଦୀ ଅଞ୍ଚଳରେ କ୍ୟାମ୍ପ କରି ସମସ୍ତ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି।
ଏହାସହିତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)କୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ଏବଂ ଜଳସମ୍ପଦ ବିଭାଗ ସହିତ ତାଳମେଳ ରଖି ହୀରାକୁଦ ଜଳ ନିଷ୍କାସନ ସମ୍ପର୍କିତ ସମସ୍ତ ସୂଚନା ତତକ୍ଷଣାତ୍ ଆଦାନପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ନିର୍ଦ୍ଦେଶକୁ 'ଅତ୍ୟନ୍ତ ଜରୁରୀ' ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏସ୍ଆର୍ସି ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।