ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ପ୍ରଦର୍ଶନ ସମୟରେ ନିଜ ବିରୋଧରେ ହୋଇଥିବା ଅଭଦ୍ର ମନ୍ତବ୍ୟ ଏବଂ ଗାଳିଗୁଲ୍ଜକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାନ୍ତ ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେତେକ ପଥଭ୍ରଷ୍ଟ ପିଲା ତାଙ୍କୁ ଏବଂ ତାଙ୍କର ସ୍ୱର୍ଗୀୟ ମାଆଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଆକ୍ରମଣ କରିଥିଲେ ମଧ୍ୟ ସେ ସେମାନଙ୍କୁ ସମ୍ପୂର୍ଣ୍ଣକ୍ଷମା କରୁଛନ୍ତି।
ଭିଡିଓଟିରେ ବେଶ୍ ଆପଣାର ସୁରରେ କଥା ହୋଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ମନ ହେଉଛି ଆପଣଙ୍କ ସହିତ ସିଧାସଳଖ କଥା ହେବି। ଜନ୍ତର-ମନ୍ତରରେ ଯାହା କିଛି ବି ଘଟିଲା, ତାହା ଦେଶ ଏବଂ ଦୁନିଆ ଆଖିରେ ଦେଖିଛି। କିଛି ଅରାଜକ ପିଲା ମୋତେ ଏବଂ ମୋର ସ୍ୱର୍ଗୀୟ ମାଆଙ୍କୁ ଅତ୍ୟନ୍ତ ଭୀଷଣ ଭାବେ ଗାଳିଗୁଲ୍ଜ କରିଛନ୍ତି। କୌଣସି ବି ସଭ୍ୟ ସମାଜରେ ଶୁଣିବାକୁ ମିଳୁନଥିବା ଏଭଳି ଅଭଦ୍ର ଶବ୍ଦର ପ୍ରୟୋଗ କରାଯାଇଛି।
'ସେମାନେ ଆମରି ନିଜର ପିଲା, ସୁଧାରିବା ଆମର କର୍ତ୍ତବ୍ୟ'
ସମାଜରେ ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା କ୍ଷୋଭକୁ ସେ ଭଲ ଭାବେ ବୁଝିପାରୁଛନ୍ତି ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା ଦେଖି ଲୋକଙ୍କ ମନରେ ଏକ ପ୍ରକାରର କଲଚରାଲ୍ ଶକ୍ ଲାଗିଛି ଯେ ଆମର ଝିଅମାନେ ଏଭଳି ଭାଷା କିପରି ବ୍ୟବହାର କରିପାରିଲେ। କିନ୍ତୁ ଏହା ହେଉଛି ସେହି ପିଲାମାନଙ୍କୁ ଆଲିଙ୍ଗନ କରି ସଠିକ୍ ମାର୍ଗ ଦେଖାଇବାର ସମୟ। ଏମାନେ ସବୁ ଗୁମରାହ ବା ଭ୍ରମିତ ହୋଇଥିବା ପିଲା। ସେମାନଙ୍କୁ ଆଇନଗତ ଭାବେ ଫସାଇ, କୋର୍ଟ କଚେରୀ ଚକ୍କର କାଟିବାକୁ ଛାଡ଼ିବା ଦ୍ୱାରା ପରିସ୍ଥିତି କଦାପି ବଦଳିବ ନାହିଁ।
କେତେବେଳେ ଭୁଲବଶତଃ ଦାନ୍ତରେ ଆମର ଜିଭ କାମୁଡ଼ି ହୋଇଯାଏ ଏବଂ ରକ୍ତ ମଧ୍ୟ ବାହାରିଥାଏ; କିନ୍ତୁ ସେଥିପାଇଁ ଆମେ କ’ଣ ଦାନ୍ତ ଭାଙ୍ଗି ଦେଉ କି? ଦାନ୍ତ ବି ଆମର, ଜିଭ ବି ଆମର। ସେହିପରି ଏହି ପିଲାମାନେ ମଧ୍ୟ ଆମରି ନିଜର।
'ଆସନ୍ତୁ ଭୁଲରୁ ଶିଖି ଦେଶକୁ ଆଗକୁ ବଢ଼ାଇବା'
ଦେଶର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି, "ଏହି ପିଲାମାନଙ୍କୁ ସଠିକ୍ ବାଟ ଦେଖାଇବା କାମଟି କଠିନ, କିନ୍ତୁ ଏହି କଠିନ କାମକୁ ଆମକୁ ହିଁ କରିବାକୁ ପଡ଼ିବ। ମୁଁ ସେହି ପିଲାମାନଙ୍କୁ କହୁଛି- ଆସନ୍ତୁ, ଆମେ ସମସ୍ତେ ମିଶି ଦେଶ ପାଇଁ ଏକାଠି ଆଗକୁ ବଢ଼ିବା, କିଛି ନୂଆ ଶିଖିବା, ଭୁଲରୁ ଶିକ୍ଷାଲାଭ କରି ନିଜର ସ୍ୱପ୍ନକୁ ସାକାର କରିବା।"