ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଚାରି ମହଲା ବିଶିଷ୍ଟ କୋହିନୂର କୋଠା ଭୁଶୁଡ଼ିବା ମାମଲାରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଭଗ୍ନାବଶେଷ ତଳୁ ପ୍ରାୟ ୯ଟି ମୃତ ଦେହ ଉଦ୍ଧାର ହୋଇଛି । ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଏନଡିଆରଏଫ୍ ଟିମ୍ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଉଦ୍ଧାର ହୋଇଥିବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ।
ନାରପୋଲିର ଭଣ୍ଡାରୀ କମ୍ପାଉଣ୍ଡରେ ଅବସ୍ଥିତ ଚାରି ମହଲା କୋହିନୂର କୋଠାର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ, ମ୍ୟୁନିସିପାଲ କର୍ପୋରେସନ ଦଳ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆହୁରି ତିନିରୁ ଚାରି ଜଣ ଭଗ୍ନାବଶେଷ ତଳେ ଫସି ରହିପାରନ୍ତି।
ଥାନେ ଜିଲ୍ଲାପାଳ କୃଷ୍ଣ ପଞ୍ଚାଲ ଓ ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି।
ଥାନେ ନଗର ନିଗମର ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ ଅନୁଯାୟୀ, ପୂର୍ବରୁ ଭିୱାଣ୍ଡି-ନିଜାମପୁର ନଗର ନିଗମ ଦ୍ୱାରା କୋଠାଟିକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା। ଅସୁରକ୍ଷିତ ଘୋଷଣା ହେବା ପରେ ମରାମତି କାମ ଚାଲିଥିବାବେଳେ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଘଟଣାର ଘଟିବାର କିଛି ସମୟ ପୂର୍ବରୁ କୋଠାରୁ ଏକ ଭୟଙ୍କର ଶବ୍ଦ ଶୁଭାଯାଇଥିଲା । ସ୍ଥାନୀୟ ଲୋକମାନେ ସେଠାରେ ରହୁଥିବା କିଛି ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଥିଲେ । କିନ୍ତୁ ଆଉ କିଛି ଲୋକ ଦୁର୍ଭାଗ୍ୟବଶତଃ ଫସି ରହିଯାଇଥିଲେ ।