ନୂଆଦିଲ୍ଲୀ: ଦେଶରେ ପରୀକ୍ଷା ପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ସଂସଦର ଉଭୟ ଗୃହରେ 'ଆଣ୍ଟି ପେପର ଲିକ୍' ବିଲ୍ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ସନ୍ଦେଶ ଜାରି କରି ଦେଶର ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପେପର ଲିକ୍ କରୁଥିବା ମାଫିଆ ଓ ଗ୍ୟାଙ୍ଗଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ା ଯିବ ନାହିଁ ବୋଲି ସେ ଦୃଢ଼ ଚେତାବନୀ ଦେଇଛନ୍ତି।
ପେପର ଲିକ୍ ମାଫିଆଙ୍କ ଉପରେ ଚାଲିବ କଠୋର ଆଇନ
ଇନଷ୍ଟାଗ୍ରାମରେ ଜାରି ହୋଇଥିବା ଏହି ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ସରକାର ପେପର ଲିକ୍ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏହା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଶିକ୍ଷା ଓ ପରୀକ୍ଷା ପଦ୍ଧତିରେ ସୁଧାର ଆଣିବା ଜରୁରୀ ହୋଇପଡ଼ିଥିଲା। ଏଥିପାଇଁ ଆଧୁନିକ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରାଯାଉଛି। ବିଶ୍ୱସନୀୟ ପରୀକ୍ଷା ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ, ଫାଷ୍ଟଟ୍ରାକ୍ ବ୍ୟବସ୍ଥା ଏବଂ ରାଜ୍ୟଗୁଡ଼ିକର ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି। ସଂସଦରେ ଆଗତ କରାଯାଇଥିବା ଏହି କଠୋର ଆଇନ ବିଲ୍ ଏବେ ଉଭୟ ଗୃହରେ ମଞ୍ଜୁରୀ ପାଇସାରିଛି, ଯାହା ପରୀକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ବୋଲି ପିଏମ ମୋଦୀ କହିଛନ୍ତି।
'ଯୁବବର୍ଗଙ୍କ ସ୍ୱପ୍ନ ସହ ଖେଳିଲେ ମିଳିବ କଠୋର ଦଣ୍ଡ'
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଟି କୋଟି ପିଲାଙ୍କ ପରିଶ୍ରମ ଓ ସ୍ୱପ୍ନ ସହ ଖେଳୁଥିବା ମାଫିଆଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ଆମେ ଏପରି ଅସୁରକ୍ଷିତ ପରିସ୍ଥିତିକୁ ଦୀର୍ଘ ଦିନ ଧରି ଚାଲିବାକୁ ଦେବୁ ନାହିଁ। ଦେଶର ଯୁବଶକ୍ତିଙ୍କୁ ସାଥିରେ ନେଇ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ସରକାର କ୍ରମାଗତ ଭାବେ ଦୃଢ଼ ପଦକ୍ଷେପ ନେଉଛନ୍ତି।