ନୂଆଦିଲ୍ଲୀ/ଭୁବନେଶ୍ୱର: ଦୀର୍ଘ ଦିନରୁ ଲାଗିରହିଥିବା ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ଦିଗରେ ଏକ ପ୍ରମୁଖ ସଫଳତା ମିଳିଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଲୋଚନା କରିଛନ୍ତି।
ଏହି ଆଲୋଚନା ସମୟରେ କେନ୍ଦ୍ରୀୟ ଜଳ କମିଶନ (CWC) ଅଧ୍ୟକ୍ଷଙ୍କ ଅଧୀନରେ ଗଠିତ ଏକ ସ୍ୱତନ୍ତ୍ର କମିଟି ଆଗାମୀ ୩ ମାସ ମଧ୍ୟରେ ନିଜର ବିସ୍ତୃତ ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାର ଚାଷୀ ଓ ଜଳସମ୍ପଦ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା
ବୈଠକରେ ଓଡ଼ିଶାର ଅଧିକାର, ରାଜ୍ୟର ଚାଷୀକୁଳଙ୍କ ସ୍ୱାର୍ଥ, ଜନସାଧାରଣଙ୍କ ହିତ ଏବଂ ପରିବେଶ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦୃଢ଼ ପକ୍ଷ ଉପସ୍ଥାପନ କରିବା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏକ ସନ୍ତୋଷଜନକ ଓ ସ୍ଥାୟୀ ସମାଧାନ ବାହାର କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
ସହଯୋଗ ଓ ସମନ୍ୱୟରେ ବାହାରିବ ସମାଧାନ
ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା ଏବଂ ସହଯୋଗ ମାଧ୍ୟମରେ ଏହି ସମସ୍ୟାର ଅନ୍ତ ଘଟାଇବାକୁ ଦୁଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟର ଜଳସମ୍ପଦ ସୁରକ୍ଷିତ ରଖିବା ସହ ଶୀଘ୍ର ଏହାର ନିଷ୍କର୍ସ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଚିବ ଏବଂ ଅନ୍ୟାନ୍ୟ ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥିଲେ।
Also Read: ଭଦ୍ରକରେ ବନ୍ୟାର ଦ୍ୱିତୀୟ ମାଡ଼; ୨୪ ଗାଁ ବିଚ୍ଛିନ୍ନ, ୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଜଳମଗ୍ନ ଚାଷଜମି