ଅନୁଗୁଳ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଲି ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ ଗୁରୁବାର ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଙ୍ଗାଲି ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ କରାଯାଇଛି। ଜଳସ୍ତର ବୃଦ୍ଧି ପାଇବା ପରେ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲି ବନ୍ୟାଜଳ ଛାଡ଼ିଛନ୍ତି।
ସୂଚନା ଅନୁସାରେ, ରେଙ୍ଗାଲି ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୨.୨୪ ମିଟରରେ ପହଞ୍ଚିଛି। ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨,୭୩୫ ଘନ ମିଟର ଜଳ ଡ୍ୟାମକୁ ପ୍ରବେଶ କରୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଖୋଲାଯାଇଥିବା ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୧,୩୯୪.୨୪ ଘନ ମିଟର ପ୍ରତି ସେକେଣ୍ଡ ଜଳ ନିଷ୍କାସନ କରାଯାଉଛି। ଏହାବ୍ୟତୀତ ପାୱାର ଟନେଲ୍ ଦେଇ ଆଉ ୫୦୧ ଘନ ମିଟର ପ୍ରତି ସେକେଣ୍ଡ ଜଳ ଛଡ଼ାଯାଉଛି।
ରେଙ୍ଗାଲିରୁ ବନ୍ୟାଜଳ ଛାଡ଼ିବା ପରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ପ୍ରଶାସନ ପକ୍ଷରୁ ନଦୀ ନିକଟକୁ ନଯିବା, ବନ୍ୟାଜଳ ପ୍ରବାହିତ ସ୍ଥାନରେ ଅନାବଶ୍ୟକ ଭିଡ଼ ନକରିବା ଏବଂ ଗୃହପାଳିତ ପଶୁଙ୍କୁ ମଧ୍ୟ ନଦୀକୂଳକୁ ନନେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ଉପରେ ଡ୍ୟାମ କର୍ତ୍ତୃପକ୍ଷ କଡ଼ା ନଜର ରଖିଥିବା ବେଳେ ଉପରମୁଣ୍ଡରୁ ଜଳ ପ୍ରବାହ ଆହୁରି ବଢ଼ିଲେ ଆବଶ୍ୟକତା ଅନୁଯାୟୀ ଅଧିକ ସ୍ଲୁଇସ୍ ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି।
ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ଥିବା ବେଳେ ରେଙ୍ଗାଲି ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନକୁ ନେଇ ବ୍ରାହ୍ମଣୀ ଅବବାହିକାରେ ସତର୍କତା ବଢ଼ାଇ ଦିଆଯାଇଛି।