ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତିର ତଦାରଖ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଜି ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ପରିଦର୍ଶନ କରି ବର୍ତ୍ତମାନର ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି।
ପରିଦର୍ଶନ ସମୟରେ ବିଭିନ୍ନ ଜିଲ୍ଲାର ଜଳବନ୍ଦୀ ଅଞ୍ଚଳ, ନଦୀର ଜଳସ୍ତର, ରାସ୍ତାଘାଟର କ୍ଷୟକ୍ଷତି ଏବଂ ଉଦ୍ଧାର କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରାଯାଇଥିଲା। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ଓ ରିଲିଫ୍ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହା ପୂର୍ବରୁ ମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ବର୍ଷା ଓ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଉଦ୍ଧାର, ରିଲିଫ୍ ବଣ୍ଟନ ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯଥାଶୀଘ୍ର ପହଞ୍ଚାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।
ଆକାଶମାର୍ଗରେ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ସହାୟତା ଆୟୁକ୍ତ ମଧ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ସରକାର ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପଦକ୍ଷେପ ଜାରି ରହିଛି।