ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଭରତପୁରର ଶୁଭଶ୍ରୀ ନାୟକ ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ରାୟ ପ୍ରକାଶ ପାଇଛି । ସ୍ତ୍ରୀକୁ ଆନାସ୍ଥେସିଆ ଦେଇ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ ପାତ୍ର ଏବଂ ପ୍ରେମିକା ରୋଜି ପାତ୍ରକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨ ଅଦାଲତ ଦଣ୍ଡାଦେଶ ଦେଇଛନ୍ତି । ଉଭୟଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରମାଣ ଅଭାବରୁ ଅନ୍ୟ ଜଣେ ଅଭିଯୁକ୍ତ ଇଜିତା ଭୂୟାଁଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ହତ୍ୟାକୁ ଦିଆଯାଇଥିଲା ଆତ୍ମହତ୍ୟାର ରୂପ ?
୨୮ ଅକ୍ଟୋବର, ୨୦୨୪ରେ ଭରତପୁର ରହୁଥିବା ଶୁଭଶ୍ରୀ ନାୟକଙ୍କ ସ୍ୱାମୀ ପ୍ରଦ୍ୟୁମ୍ନ ପାତ୍ର ଆନାସ୍ଥେସିଆ ଦେଇ ହତ୍ୟା କରିଥିଲେ । ପ୍ରଦ୍ୟୁମ୍ନକୁ ସହଯୋଗ କରିଥିଲେ ଦୁଇ ନର୍ସ ବାନ୍ଧବୀ ଇଜିତା ଭୂୟାଁ ଏବଂ ରୋଜି ପାତ୍ର । ଶୁଭଶ୍ରୀ ଓ ପ୍ରଦ୍ୟୁମ୍ନଙ୍କ ବୈବାହିକ ସମ୍ପର୍କ ଠିକ୍ ନ ଥିଲା । ତେଣୁ ଶୁଭଶ୍ରୀ ନିଜ ବାପା ଘରକୁ ଚାଲି ଯାଇଥିଲେ । କିନ୍ତୁ ପ୍ରଦ୍ୟୁମ୍ନ ଅକ୍ଟୋବର ୨୭ ତାରିଖରେ ପହଁଚି ଶୁଭଶ୍ରୀଙ୍କୁ ବୁଝାସୁଝା କରି ଜୋର ଜବରଦସ୍ତ ପରିବାରଙ୍କ ବିନା ଇଚ୍ଛା ସ୍ତ୍ରୀକୁ ନେଇ ଚାଲି ଆସିଥିଲେ । ଏହା ପରେ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ଶୁଭଶ୍ରୀଙ୍କ ହତ୍ୟାରେ ରୋଜି ଏବଂ ଇଜିତା ସହଯୋଗ କରିଥିଲେ । ଦୁଇ ଜଣ ଝିଅ ଶୁଭଶ୍ରୀଙ୍କୁ ମାଡ଼ି ବସିଥିଲେ ଏବଂ ପ୍ରଦ୍ୟୁମ୍ନ ଓଭର୍ ଡୋଜ୍ ଆନାସ୍ଥେସିଆ ଇଞ୍ଜେକ୍ସନ୍ ଦେଇଥିଲା । ଶୁଭଶ୍ରୀ ଚେତାଶୂନ୍ୟ ହୋଇଯିବାରୁ କ୍ୟାପିଟାଲ ହସ୍ପିଟାଲରେ ପହଁଚିଥିଲେ । ସେଠାରେ ପ୍ରଦ୍ୟୁମ୍ନ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଥିଲା । ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ପୁଲିସକୁ ବୟାନ ଦେଇଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସବୁ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଦେଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଶୁଭଶ୍ରୀଙ୍କୁ ଆନାସ୍ଥେସିଆ ଦିଆଯାଇଥିବା ଜଣାପଡ଼ିଥିଲା ।