ଜଳେଶ୍ଵର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବା ପରେ ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ିଲା କାର। ଘଟଣାସ୍ଥଳରେ ୨ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ ଏକ କାର୍ରେ ୪ ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ସୋନାକଣିଆ ନିକଟରେ ହଠାତ୍ କାର୍ଟି ଚାଳକଙ୍କ ନିୟନ୍ତ୍ରଣ ହରାଇଥିଲା। ଫଳରେ କାର୍ଟି ରାସ୍ତା ପାଖରେ ଥିବା ଡିଭାଇଡରରେ ଜୋର୍ରେ ପିଟି ହୋଇଯାଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍ଟି ଡିଭାଇଡର ଅତିକ୍ରମ କରି ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଲୋକ ଙ୍କର ପରିଚୟ ମିଳି ପାରିନାହିଁ। ଦୁର୍ଘଟଣା ପରେ କାର୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ଦୁଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।