ଭୁବନେଶ୍ୱର: ଆର୍ଥିକ ପ୍ରଗତିର ପଥରେ ଆଗକୁ ବଢ଼ୁଛି ଓଡ଼ିଶା। ରାଜ୍ୟର ମୁଣ୍ଡପିଛା ଆୟରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି। ବିଧାନସଭାରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ରାଜ୍ୟର ବିକାଶ ହାରକୁ ଆହୁରି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।
ଏଥିପାଇଁ ୨୦୩୬ ଏବଂ ୨୦୪୭କୁ ଆଖିରେ ରଖି ଏକ ଦୀର୍ଘମିଆଦୀ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି।
ଏହି ଲକ୍ଷ୍ୟ ହାସଲ ପାଇଁ ୩୬ଟି ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, ବନ୍ଦରଭିତ୍ତିକ ବିକାଶ, ଦକ୍ଷତା ବିକାଶ, ସହରୀକରଣ, ସାମାଜିକ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ ଭଳି କ୍ଷେତ୍ର ଏଥିରେ ସାମିଲ ରହିଛି।
ରାଜ୍ୟର ସାମଗ୍ରିକ ବିକାଶ ସହ ଯୋଜନାର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକପଟେ ବଢ଼ୁଛି ମୁଣ୍ଡପିଛା ଆୟ, ଅନ୍ୟପଟେ ୨୦୪୭ ପାଇଁ ବଡ଼ ଆର୍ଥିକ ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ଯୋଜନା।