କଟକ : ଆଜି ସକାଳୁ ସକାଳୁ କଟକ ବାଲିଯାତ୍ରା ପଡ଼ିଆରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲ୍ ଉପରେ କଟକ ମହାନଗର ନିଗମସ୍ୱାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି । ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ତଳ ବାଲିଯାତ୍ରା ପଡ଼ିଆ ସମେତ ଓରମାସ୍ ଫୁଡ୍ କୋର୍ଟ ଅଞ୍ଚଳରେ ଏହି ଅଚାନକ ଯାଞ୍ଚ କରାଯାଇଛି ।
ଯାଞ୍ଚ ସମୟରେ ବିଭିନ୍ନ ଷ୍ଟଲରୁ ୫ କ୍ୱିଣ୍ଟାଲରୁ ଅଧିକ ବାସି ଆମିଷ ଓ ନିରାମିଷ ଖାଦ୍ୟ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏଥିରେ ମଟନ୍ ତରକାରୀ, ଚାଉମିନ୍ ଏବଂ ମୋମୋ ଆଦି ସାମିଲ ରହିଛି । ଖାଦ୍ୟରେ କ୍ଷତିକାରକ ରାସାୟନିକ ରଙ୍ଗ ମିଶାଯାଉଥିବା ଦେଖିବାକୁ ମିଳିଥିଲା । ଏହା ସହିତ ପ୍ରାୟ ୩୦ ଲିଟର ପୋଡ଼ା ଓ ଖରାପ ରନ୍ଧା ତେଲ ଏବଂ ନିମ୍ନମାନର ସସ୍କୁ ଫିଙ୍ଗି ଦିଆଯାଇଛି ।
ବାଲିଯାତ୍ରା ଭଳି ପ୍ରସିଦ୍ଧ ମେଳାରେ ସ୍ୱାସ୍ଥ୍ୟକର ପରିବେଶରେ ତାଜା ଖାଦ୍ୟ ବିକ୍ରି କରିବାକୁ ଷ୍ଟଲ୍ ମାଲିକମାନଙ୍କୁ ତାଗିଦ୍ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଦୋକାନ ସିଲ୍ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।