ଭୁବନେଶ୍ୱର: ନନ୍ଦନକାନନରେ ଖେଳିଗଲା ଶୋକର ଛାୟା। ଆଉ ଶୁଭିବନି ମହାବଳ ବାଘ ‘ସେଫ୍’ର ଗର୍ଜନ। ସବୁଦିନ ପାଇଁ ଆଖି ବୁଜିଛି ୧୬ ବର୍ଷୀୟ ଅଣ୍ଡିରା ରୟାଲ ବେଙ୍ଗଲ୍ ଟାଇଗର ‘ସେଫ୍’। ଶୁକ୍ରବାର ଭୋର ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧-ଡି ଖୁଆଡ଼ରେ ତା'ର ମୃତ୍ୟୁ ହୋଇଛି। ଦୀର୍ଘଦିନ ଧରି ଯକୃତଜନିତ ରୋଗରେ ପୀଡ଼ିତ ଥିବା ସେଫ୍ର ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୮ ତାରିଖରୁ ସେଫ୍ ଧୀରେ ଧୀରେ ଖାଦ୍ୟ ଗ୍ରହଣ କମାଇ ଦେଇଥିଲା। ପରେ ଯକୃତଜନିତ ସମସ୍ୟା ଦେଖାଦେବାରୁ ତାକୁ ଡାକ୍ତରୀ ଚିକିତ୍ସାରେ ରଖାଯାଇଥିଲା। ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଦଳ ନିରନ୍ତର ଚିକିତ୍ସା ଓ ଯତ୍ନ ଜାରି ରଖିଥିଲେ ମଧ୍ୟ ତା'ର ଅବସ୍ଥା ଗୁରୁତର ରହିଥିଲା। ଶେଷରେ ନଭେମ୍ବର ୨୭ ଭୋରରେ ତା'ର ମୃତ୍ୟୁ ହୋଇଥିଲା।
ସେଫ୍ର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୫କୁ ଖସିଆସିଛି। ଏଥିରେ ୧୬ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା ବାଘ ଓ ୪ଟି କଳା ମେଲାନିଷ୍ଟିକ୍ ବାଘ ରହିଛନ୍ତି।
କେବଳ ନନ୍ଦନକାନନର ଏକ ବାଘ ଭାବେ ନୁହେଁ, ବରଂ ବାଘ ବଂଶ ବୃଦ୍ଧିରେ ମଧ୍ୟ ସେଫ୍ର ରହିଛି ବଡ଼ ଅବଦାନ। ନିଜ ଜୀବନକାଳ ମଧ୍ୟରେ ସେ ୮ଟି ବାଘ ଛୁଆର ପିତା ହୋଇଥିଲା। ତା'ର ବିୟୋଗରେ ନନ୍ଦନକାନନର ବାଘ ପରିବାରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଗର୍ଜନ ଥମିଗଲା, ହେଲେ ନନ୍ଦନକାନନର ବାଘ ବଂଶ ବୃଦ୍ଧିରେ ‘ସେଫ୍’ର ଅବଦାନ ସବୁଦିନ ମନେ ରହିବ।