ସୁନ୍ଦରଗଡ଼: ଦନ୍ତା ଆକ୍ରମଣରେ ଚାଲିଗଲା ବନବିଭାଗ କର୍ମଚାରୀଙ୍କ ଜୀବନ। ରାଜଗାଙ୍ଗପୁର ଅନ୍ତର୍ଗତ ବଡ଼ଗାଁ ଫରେଷ୍ଟ ରେଞ୍ଜରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି।ଶୁକ୍ରବାର ଦିନ ହାତୀ ଘଉଡ଼ାଇବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି ।
ମୃତ ମହିଳା ଫରେଷ୍ଟ ଗାର୍ଡଙ୍କ ନାମ ପ୍ରତିଭା ବିଶି। ସେ ବଡ଼ଗାଁ ଫରେଷ୍ଟ ରେଞ୍ଜର ପାଞ୍ଚରା ସେକ୍ସନ ଅନ୍ତର୍ଗତ ଗୋଲେବାହାଲ ବିଟ୍ରେ କାର୍ଯ୍ୟରତ ଥିଲେ ।
ସୂଚନା ଅନୁଯାୟୀ ଏକ ଦନ୍ତା ହାତୀ ଜନବସତି ଆଡ଼କୁ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ବନ ବିଭାଗର ଟିମ୍ ସହ ପ୍ରତିଭା ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଉଥିବା ବେଳେ ହାତୀଟି ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରି ଦଳି ଦେଇଥିଲା । ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।